୧୨୩କୋଟି ଟଙ୍କା ଜିଏସ୍‍ଟି ଠକେଇ: ୨ଗିରଫ

କଟକ:ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ଜାଲ ବିଲ ମାଧ୍ୟମରେ ୧୨୩କୋଟି ଟଙ୍କା ଜିଏସଟି ଠକେଇ କରିଥିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ବାସନ୍ତୀ କଲୋନୀସ୍ଥିତ ବିବି ଆସୋସିଏଟର ସ୍ବତ୍ବାଧିକାରୀ ସୁବାସଚନ୍ଦ୍ର ସ୍ୱାଇଁ ଏବଂ ସିଭିଲ ଟାଉନସିପସ୍ଥିତ ଜିଏସ ୟୁନିଟ୍ରେଡର ସ୍ବତ୍ବାଧିକାରୀ ଅମିତ ବେରିୱାଲ। ଶ୍ରୀ ବେରିୱାଲ ଏବଂ ଶ୍ରୀ ସ୍ୱାଇଁ ଜିଏସଟି ଠକେଇ କରିବା ପାଇଁ କେତେକ ମହିଳା, କ୍ରେନ ଚାଳକ, ମଜୁରିଆ, ଘରୋଇ ଶିକ୍ଷକ, ବେକାରଯୁବକଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ପ୍ୟାନ କାର୍ଡ, ଆଧାରକାର୍ଡ, ବ୍ୟାଙ୍କ ପାସ୍‍ବୁକ ଓ ଫଟୋ ସଂଗ୍ରହ କରିନେଇଥିଲେ। ସେମାନଙ୍କ ନାମରେ ୨୮ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ କରି ଜିଏସଟି ପଞ୍ଜୀକରଣ କରିଥିଲେ। ଏହିସବୁ ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ଜାଲ ବିଲ ପ୍ରସ୍ତୁତ କରି କୋଟିକୋଟି ଟଙ୍କାର ଇନପୁଟ କ୍ରେଡିଟ ଓଡ଼ିଶା ଓ ଅନ୍ୟ ପ୍ରଦେଶର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଥିବା ସ୍କ୍ୱାଡର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। କେତେକ କ୍ଷେତ୍ରରେ ସେମାନେ ବିଭିନ୍ନ ପଞ୍ଜିକୃତ ଅସାଧୁ ବ୍ୟବସାୟୀଙ୍କଠାରୁ ବିନା ବିଲ ଓ ବିନା ଟିକସ ପୈଠ କରି ଜିନିଷପତ୍ର କ୍ରୟ କରୁଥିଲେ। ଏହିସବୁ ଚୋରା ସାମଗ୍ରୀକୁ ବୈଧରୂପେ ବିକ୍ରି ଦର୍ଶାଇବା ପାଇଁ ଜାଲ ବ୍ୟବସାୟ ପ୍ରତିଷ୍ଠାନ ନାମରେ କ୍ରୟ ବିଲ ପ୍ରସ୍ତୁତ କରୁଥିଲେ। ଉକ୍ତ ବିଲରେ ଦର୍ଶାଇଥିବା ଇନପୁଟ ଟାକ୍ସ କ୍ରେଡିଟ ବ୍ୟବହାର କରି କୋଟିକୋଟି ଟଙ୍କା ଟିକସ ପାଙ୍କିଥିବା ଜଣାପଡିଥିଲା। ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବ୍ୟବହାର କରି ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କଠାରୁ ସୁଧ ସହିତ ଜୋରିମାନା ଆଦାୟ କରିବା ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି।
ପ୍ରକାଶ କେତେକ ଅସାଧୁ ବ୍ୟବସାୟୀ ଜାଲ ପ୍ରତିଷ୍ଠାନ ନାମରେ ୪୯୩କୋଟି ଟଙ୍କାର ଜିନିଷ କ୍ରୟ କରିଥିବା ଏବଂ ୬୮୭କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ଦର୍ଶାଇ ପ୍ରାୟ ୧୨୩କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.