ସଂସ୍କୃତି ବିଭାଗରେ ସଂସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଆସିବ ସଂସ୍କାର। ନୂଆ ସମ୍ଭାବନା ନେଇ କାର୍ୟ୍ୟ ଆରମ୍ଭ ହୋଇଥିବାବେଳେ ନୂଆବର୍ଷରେ କାର୍ୟ୍ୟ ଶେଷ ହେବ ବୋଲି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ନିର୍ଦେଶକ ଏବଂ ସଚିବ ଯୋଗଦେବାରେ ପରେ କାର୍ୟ୍ୟ ତ୍ୱରାନ୍ୱିତ ହୋଇଛି।
ଗୋଟିଏ ମଞ୍ଚରେ ଦିଆଯିବ ପୁରସ୍କାର
ବିଭାଗ ପକ୍ଷରୁ ଚଳିତ ବର୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୂଆ ନିର୍ଦେଶକ ଆସିବା ପରେ ସଂସ୍କାରମୂଳକ ପଦକ୍ଷେପ ପାଇଁ ଯୋଜନା କରିଛନ୍ତି। ବିଶେଷକରି ପୁରସ୍କାର ପ୍ରଦାନ ଉପରେ ବଡ଼ ପଦକ୍ଷେପ ନିଆଯାଇଛି। ଏକାଡେମୀ ସବୋର୍ଚ୍ଚ ପୁରସ୍କାର ସହିତ ଚଳଚ୍ଚିତ୍ର ପୁରସ୍କାରକୁ ଏକାଠି ଗୋଟିଏ ଦିନ ଏବଂ ଗୋଟିଏ ମଞ୍ଚରେ ଦିଆଯିବା ଯୋଜନା ହୋଇଛି।
ଏକାମ୍ରହାଟରେ ଖୋଲିବ ରାତ୍ରି ବଜାର
ଏକାମ୍ରହାଟ ନୂଆରୂପରେ ନୂଆବର୍ଷରେ ଖୋଲିବାକୁ ଥିବାବେଳେ ଏଠାରେ ରାତ୍ରି ବଜାର କରାଯିବ। ପର୍ୟ୍ୟଟକଙ୍କ ପାଇଁ ଗୋଟିଏ ସ୍ଥାନରେ ଏତେସବୁ କାର୍ୟ୍ୟକ୍ରମ କରାଯିବ। ରାତ୍ରି ବଜାରର ସୁବିଧା ସାଙ୍ଗକୁ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ମହାମିଳନ ହେବ। ଏହାକୁ ଆଉ ଟିକେ ଉତ୍ସବମୁଖର କରିବାକୁ ଯୋଡ଼ି ହୋଇଛି ଏକାମ୍ର ସାଂସ୍କୃତିକ ସନ୍ଧ୍ୟା। ଯାହା ବିଭାଗ ପକ୍ଷରୁ କରାଯିବ।


ସଙ୍ଗୀତ ମାର୍ଗ ନେଇ ପଥ ପରିଷ୍କାର
ସଂସ୍କୃତି ବିଭାଗର ନିଆରା ପଦକ୍ଷେପ। ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତାକୁ ସଙ୍ଗୀତ ମାର୍ଗ କରାଯିବ। ଯେଉଁଠାରେ ଅହରହ ସଙ୍ଗୀତ ବାଜିବ ଏବଂ ରାଜ୍ୟର ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରତିଷ୍ଠା କରାଯିବା ନେଇ ଯୋଜନା ହୋଇଛି। ସେହିପରି ସାଧାରଣ ଲୋକ ଜାଣିବା ନିମନ୍ତେ ସେଠାରେ ଏକ କିଓସ୍କୋ କାର୍ୟ୍ୟ କରିବା। ଖୁବ୍‌ଶୀଘ୍ର କାର୍ୟ୍ୟ ଆରମ୍ଭ ହୋଇ ୨୦୨୧ କ୍ୟାଲେଣ୍ଡର ବର୍ଷରେ ଶେଷ ହେବ।
ସଂସ୍କୃତି ଭବନ ହେବ ଐତିହ୍ୟ ବିଲ୍ଡିଂ
ବଦଳିବ ସଂସ୍କୃତି ଭବନର ରୂପରେଖ। କାନ୍ଥବାଡ଼ରେ ଶୋଭାପାଇବ ପାରମ୍ପରିକ ଚିତ୍ରକଳା। ଐତିହ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏକାଡେମୀରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଭବନର ସୌନ୍ଦର୍ୟ୍ୟ ବଦଳିବ। କାର୍ୟ୍ୟ ଆରମ୍ଭ ହୋଇଥିବାବେଳେ ନୂଆବର୍ଷରେ ଏହାକୁ ପୂର୍ଣ୍ଣ ରୂପ ଦିଆଯିବ।
ସମ୍ପୂର୍ଣ୍ଣ ହେବ କଳାମଣ୍ଡଳ
ସବୁଠୁ ବଡ଼ ପ୍ରେକ୍ଷାଳୟ ହେବ କଳାମଣ୍ଡଳ। ସୈନିକ ସ୍କୁଲ ନିକଟରେ ଏହାକୁ ନିର୍ମାଣ କରାଯାଉଥିବାବେଳେ ୨୦୨୧ ନଭେମ୍ବର ସୁଦ୍ଧା ଏହାର କାର୍ୟ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଉଭୟ ପାର୍କିଂ ସହିତ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ରହିବ। ୨୨୦୦ ଲୋକ ବସିବା ଭଳି ପ୍ରେକ୍ଷାଳୟ ନିର୍ମାଣ ହେବ।

Comments are closed.