ବାରବାଟୀରେ ଶେଷ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଦଳ

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ରବିବାର ଅର୍ଥାତ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‍ ଖେଳାଯିବ । ଏହି ସିରିଜ୍‍ ବର୍ତ୍ତମାନ ୧-୧ ସ୍ତରରେ ଥିବା ବେଳେ ସିରିଜ ବିଜୟ ଲକ୍ଷ୍ୟ ନେଇ ଦୁଇ ଦଳ କାଲି ପଡିଆକୁ ଓହ୍ଲାଇବେ।

ବର୍ଷର ଏହି ଶେଷ ସିରିଜ୍ ତଥା ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି । ଅନ୍ୟପକ୍ଷରେ ବୋଲିଂ ବିଭାଗରେ ଭାରତ ସାମାନ୍ୟ ଦୁର୍ବଳ ମନେହେଉଛି । ଗତ ୨ଟି ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଦୀପକ ଚହର ଆହତ ହୋଇ କଟକ ଦିନିକିଆରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ନବଦୀପ ସୈନି ଦଳରେ ସାମିଲ ହୋଇଛନ୍ତି। ତେବେ ଭାରତୀୟ ବ୍ୟାଟିଂ ଉପରେ ନଜର ପକାଇଲେ ଏହା ବେଶ୍‌ ମଜ୍‌ଭୁତ ରହିଛି । ଦଳର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା, କେ.ଏଲ୍‌. ରାହୁଲ ଓ ବିରାଟ କୋହଲି ଭିନ୍ନ ଭିନ୍ନ ଦିନରେ ମ୍ୟାଚ୍ ବିଜେତା ସାଜିଛନ୍ତି । ଶ୍ରେୟାସ ଆୟର କ୍ରମାଗତ ୪ର୍ଥ ଦିନିକିଆ ଅର୍ଦ୍ଧଶତକ ହାସଲକରି ୪ନଂ ସ୍ଥାନରେ ନିଜ ସ୍ଥାନ ସୁଦୃଢ କରି ନେଇଛନ୍ତି । ୫ମ ଓ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ଋଷଭ ପନ୍ତ୍ ଓ କେଦାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି ।

ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିଭାଗରେ ମଧ୍ୟ ମଜ୍‌ଭୁତ ରହିଛି। ତେବେ ଏହାର ଦୁର୍ବଳତା ହେଲା ବୋଲିଂ। ଚାପ ପଡ଼ିଲେ ଇଣ୍ଡିଜ୍‌ର ବୋଲିଂ ଛତ୍ରଭଙ୍ଗ ଦେଉଛି। ତେଣୁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍‌କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍‌କୁ ସହଳ ୱିକେଟ ନେବାକୁ ପଡ଼ିବ; ଯାହା ସେମାନେ ପ୍ରଥମ ଦିନିକିଆରେ କରିଥିଲେ। ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଅଧିନାୟକ ବିରାଟ କୋହଲି ଗତ ୨ଟି ଦିନିକିଆ ମ୍ୟାଚ୍‌ରେ ୫ଟି ବଲ୍‌ ଖେଳି ୪ ରନ୍ କରିଛନ୍ତି। ତେଣୁ କଟକରେ ତାଙ୍କଠାରୁ ଭାରତ ବଡ଼ ସ୍କୋର୍‌ର ଆଶାରଖିଛି। କଟକ ଦର୍ଶକଙ୍କ ଆଖି ନିଶ୍ଚୟ ଏହି ମ୍ୟାଚ୍ ବିଜେତାଙ୍କ ଉପରେ ରହିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲିଙ୍କ ଦିନିକିଆ ଆଭ୍‌ରେଜ୍ ହେଉଛି ୭୧.୬୬। ଆଇପିଏଲ୍‌ ନିଲାମରେ କୋଟିପତି ହେବା ପୂର୍ବରୁ ସେଲ୍‌ଡନ କଟ୍ରେଲ୍‌ ପ୍ରଥମ ଦିନିକିଆରେ ଚମ୍ପିଆନ୍‌ଙ୍କ ପରି ବୋଲିଂ କରିଥିଲେ। ତେବେ ୨ୟ ଦିନିକିଆ‌ରେ ସେ ନିମ୍ନମାନର ବୋଲିଂ କରିଥିଲେ। ତଥାପି କଟ୍ରେଲଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ। ଭାରତ ଏହି ମ୍ୟାଚ୍‌ରେ ନବଦୀପ ସୈନିଙ୍କୁ ଖେଳାଇବା ନିଶ୍ଚିତ ହୋଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ରେ ସମସ୍ତେ ଭଲ ଫର୍ମରେ ଅଛନ୍ତି। ତେବେ ଦଳ ଅଧିନାୟକ ପୋଲାର୍ଡଙ୍କ ସହ ଏଭିନ୍ ଲୁଇସ୍, ସାଇ ହୋପ୍, ସିମ୍ରନ୍ ହେତ୍‌ମେୟର ଓ ନିକୋଲାସ୍ ପୁରନ୍ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇପାରନ୍ତି । ତେବେ ଗତ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ନେଇଥିବା କୁଲଦୀପ ଯାଦବଙ୍କ ପ୍ରତି ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ମ୍ୟାଚ୍‌ରେ କାକର ପ୍ରଭାବ ରହିବ। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି।

ଚେନ୍ନାଇଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୮ ୱିକେଟରେ ପରାସ୍ତ ହୋଇଥିବାବେଳେ ବିଶାଖାପଟ୍ଟନମ୍‍ଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ, ୱେଷ୍ଟଇଣ୍ଡିଜ୍‍କୁ ୧୦୭ ରନରେ ପରସ୍ତ କରି ସିରିଜ୍‍କୁ ୧-୧ ସ୍ତରକୁ
ଆଣିଛି। ତେଣୁ ଆସନ୍ତା କାଲିର ମ୍ୟାଚ ବେଶ ଚିତାକର୍ଷକ ହେବ ବୋଲି ଅନୁମାନ କରାଯାଉଛି।

ଶନିବାର ଦୁଇଦଳ କଟକରେ ଜୋରଦାର ଅଭ୍ୟାସ କରିଛନ୍ତି । ଅନ୍ୟପକ୍ଷରେ ଏଠାରେ ୱେଷ୍ଟଇଣ୍ଡିଜ ୪ର୍ଥ ଥର ପାଇଁ ଭାରତ ସହିତ ମ୍ୟାଚ ଖେଳିବାକୁ ଯାଉଛି । ପୂର୍ବରୁ ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଯାକ ମ୍ୟାଚରେ ଭାରତ ହିଁ ବିଜୟୀ ହୋଇଛି । ତେଣୁ ଭାରତର ପଲ୍ଲା ଭାରି ରହିଛି ।

ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଏହି ମ୍ୟାଚ୍‍ ଆରମ୍ଭ ହେବ।

 

Comments are closed.