ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆଜି କଟକର ବାଙ୍କୀ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ ଜଣ ଡିଏସପି, ୧୦ ଜଣ ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି। କେନ୍ଦ୍ରାପଡା ସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡା କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ଚଢାଉ କରାଯାଇଛି। ଚଢାଉ ସମୟରେ ଅନେକ ଦରକାରୀ କାଗଜପତ୍ର ଜବତ କରାଯାଇଛି।
ବୁଧବାର ଦିନ ଭୋର୍ ୫ ଟାରେ ସମୟରେ କଟକ ଜିଲ୍ଲା ଭିଜିଲାନ୍ସ ଏସ୍.ପି. ଅକ୍ଷୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଇନ୍ସପେକ୍ଟର ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ୬ଜଣିଆ ଭିଜିଲାନ୍ସ ଟିମ୍ ଡମପଡ଼ା ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି।
ସୂଚନା ଅନୁଯାୟୀ ସହାକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ବାରଙ୍ଗ ବ୍ଲକ ସ୍ଥିତ କୁହ୍ନେଇପଡ଼ା ବାସଭବନରୁ ଭିଜିଲାନ୍ସ ଟିମ୍ ଶ୍ରୀ ରାଉତଙ୍କୁ  ଆଣି ଡମପଡ଼ା ବ୍ଲକ ସ୍ଥିତ ତାଙ୍କ କାର୍ଯ୍ୟାଳୟର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ତନଖି ପ୍ରକ୍ରିୟା ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ଧରି ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଇନ୍ସପେକ୍ଟର ବିଜୟ କୁମାର ସେଠୀଙ୍କ ସୂଚନା କ୍ରମରେ ଆଜି ମଧ୍ୟ ଏକ ସମୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ୪ଟି ଟିମ୍ କୁହ୍ନେଇ ପଡ଼ାସ୍ଥିତ ବାସଭବନ, ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ରାଜକନିକା ଅନ୍ତର୍ଗତ ଟନେଇପଡ଼ା ଗ୍ରାମ ଘର ଏବଂ ଚୌଦ୍ୱାରସ୍ଥିତ ତାଙ୍କ ଭାଇଙ୍କ ଘର ଉପରେ ଚଢ଼ାଉ କରାଯାଇଛି।  ଏହି ବ୍ଲକ୍ ଅନ୍ତର୍ଗତ କୁଶପଙ୍ଗି, ପାଥପୁର, ତାଳବସ୍ତ ଓ ଦୁଲଣାପୁର ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ଦୁର୍ନୀତିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ବରୁ ତଦନ୍ତ ଓ ଚଢ଼ାଉ ପ୍ରକ୍ରିୟା ଜାରି ରହିଛି।

Comments are closed.