ରାଜ୍ୟପାଳଙ୍କ ପରେ ଚର୍ଚ୍ଚାରେ ମୁଖ୍ୟ ବିଚାରପତି

କଟକ: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳାଦେବୀଙ୍କର ଦେହାନ୍ତ ଖବର ପାଇଥିଲେ ସୁଦ୍ଧା ରାଜଧର୍ମ ପାଳନ ପାଇଁ ସେ ତୁରନ୍ତ ସେଠାକୁ ନ ଯାଇ ରାଜ୍ୟର ୬ କୁଳପତିଙ୍କ ନିଯୁକ୍ତି ପାଇଁ ହୋଇଥିବା ସାକ୍ଷାତ୍‌କାରରେ ରହିଥିଲେ। ଏପରି ଏକ ବିରଳ ଉଦାହରଣ ସୃଷ୍ଟି କରି ରାଜ୍ୟପାଳ କିଛିଦିନ ପୂର୍ବେ ବେଶ୍‌ ଚର୍ଚ୍ଚାରେ ରହିଥିବାବେଳେ ରାଜ୍ୟ ବିଚାର ବିଭାଗୀୟ ମୁଖ୍ୟ ତଥା ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍‌. ମୁରଲୀଧର ମଧ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। ସୋମବାର ରାଜଭବନରେ ଜଷ୍ଟିସ ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

ସେଠାରୁ କଟକ ଫେରିବା ସମୟରେ ତାଙ୍କୁ ସ୍ବତନ୍ତ୍ର ପାଇଲଟ ଗାଡ଼ି ଓ କଡ଼ା ସୁରକ୍ଷା ମଧ୍ୟରେ କଟକ ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା। ତେବେ ପାଇଲଟ ଗାଡ଼ି ଓ ସୁରକ୍ଷା ବ୍ୟବସ୍ଥାକୁ ନାପସନ୍ଦ କରି ମୁଖ୍ୟ ବିଚାରପତି ତାଙ୍କ ସରକାରୀ ଗାଡ଼ି ସମ୍ମୁଖରେ ସୁରକ୍ଷା ଓ ପାଇଲଟ ଗାଡ଼ି ନ ଦିଆଯିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ କହିଥିବା ସୂଚନା ମିଳିଛି। ସେହି କ୍ରମରେ ମଙ୍ଗଳବାର ଠାରୁ ଏ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ ଗାଡ଼ି ସହ ପାଇଲଟ ଗାଡ଼ି କିମ୍ବା ପୁଲିସ ସୁରକ୍ଷା ଗାଡ଼ି ଆଉ ନଜର ଆସୁନାହିଁ। କେବଳ ମୁଖ୍ୟ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କ ସହ ଗାଡ଼ିରେ ଯାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ; ମୁଖ୍ୟ ବିଚାରପତି ଯାଉଥିବା ଗାଡ଼ି ସମ୍ମୁଖରେ ପୂର୍ବରୁ ‘ଚିଫ୍‌ ଜଷ୍ଟିସ ଅଫ୍‌ ଓଡ଼ିଶା’ ଲେଖାଥିବାବେଳେ ଏବେ ଗାଡ଼ିରୁ ସେ ଫଳକ ମଧ୍ୟ ବାହାର କରାଯାଇଛି। ମୁଖ୍ୟ ବିଚାରପତିଙ୍କ ଏଭଳି ପଦକ୍ଷେପକୁ ଆଇନଜୀବୀ ସ୍ତରରେ ସ୍ବାଗତ କରାଯାଇଥିବାବେଳେ କଟକ ସହରର ଜନସାଧାରଣ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।

Comments are closed.