୭୨ଘଣ୍ଟା ପରେ ଉଦ୍ଧାର ହେଲେ ଅସହାୟ ବୃଦ୍ଧ

କଟକ : ମହାନଦୀ ରିଂବନ୍ଧ ଡିସିପି କାର୍ଯ୍ୟାଳୟ ନିକଟରେ ୩ଦିନ ଧରି ଅସହାୟଭାବେ ପଡି ରହିଥିବା ବୃଦ୍ଧଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ଜିଲା ଆଇନସେବା ପ୍ରାଧିକରଣ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧଙ୍କ କୌଣସି ପରିଚୟ ମିଳିନଥିବାବେଳେ ମାନସିକ ବିକୃତି ରହିଥିବାରୁ ତାଙ୍କୁ ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ରିଂବନ୍ଧ ପାର୍ଶ୍ବରେ ଜଣେ ଅସହାୟ ବୃଦ୍ଧ ପଡିରହିଥିବା ନେଇ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲାଜଜ୍ ରାଜକୁମାର ସାହୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାକୁ ଗୁରୁତର ସହ ନେଇ ସେ ଜିଲା ଆଇନସେବା ପ୍ରାଧିକରଣର ସମ୍ପାଦକ ସୂର୍ଯ୍ୟ ଦାସଙ୍କ ସହିତ ଆଲୋଚନା କରିବା ସହିତ ଡିଏଲଏସଏର ପିଏଲ୍ଭି ଶର୍ମିଷ୍ଠାରାଣୀ ନନ୍ଦଙ୍କୁ ଅସହାୟ ବୃଦ୍ଧଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହିତ ଥଇଥାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହିକ୍ରମରେ ଶ୍ରୀମତୀ ନନ୍ଦ ରାସ୍ତାରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା ବୃଦ୍ଧଜଣଙ୍କ ନିକଟରେ ପହଞ୍ଚିବା ପରେ ସମାଜସେବୀ ଅଭିମନ୍ୟୁ ଦାସ, ଅଚ୍ୟୁତ କୁମାର ସାହୁ ଓ ଦୀପକ ଆଚାର୍ଯ୍ୟଙ୍କ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ନ ମିଳିବାରୁ ସ୍ବେଚ୍ଛାସେବୀ ଶ୍ରୀ ଦାସ ପିପି କିଟ ପିନ୍ଧି ନିଜ ବାଇକରେ ଏସସିବି ଆଶୁଚିକିତ୍ସା ବିଭାଗକୁ ନେଇଥିଲେ। ସେଠାରେ ତାଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ତୁରନ୍ତ ମାନସିକ ୱାର୍ଡରେ ଭର୍ତ୍ତି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଉକ୍ତ ବୃଦ୍ଧଙ୍କ ଘର ବିହାର ବୋଲି ଜଣାପଡ଼ିଛି। ୭ ଦିନ ହେବ ସେ କଟକ ଚାଲିଆସିଥିଲେ। ତାଙ୍କର ମାନସିକ ବିକୃତି ଥିବାର ଜଣାପଡ଼ୁଥିବାରୁ ତାଙ୍କୁ ମାନସିକ ବିଭାଗରେ ଚିକିତ୍ସା କରାଯାଉଛି ବୋଲି ପିଏଲ୍ଭି ଶ୍ରୀମତୀ ନନ୍ଦ ସୂଚନା ଦେଇଛନ୍ତି।