ଦତ୍ତେଶ୍ବର ହୋତା ଏସସିବିର ନୂଆ ଅଧ୍ୟକ୍ଷ

କଟକ :ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂତନ ଅଧ୍ୟକ୍ଷଭାବେ ମୂତ୍ରଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଦାୟୀ ଅଧ୍ୟକ୍ଷ ପ୍ରଫେସର ଡା. ଜୟଶ୍ରୀ ମହାନ୍ତିଙ୍କଠାରୁ ଏହି ଦାୟିତ୍ୱ ନେଇଥିଲେ। ଡାକ୍ତର ହୋତା ଦାୟିତ୍ୱ ନେବା ପରେ ମେଡିକାଲ କଲେଜରେ ଶିକ୍ଷାଦାନକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲ କଲେଜରେ କିପରି ଅଧିକରୁ ଅଧିକ ସ୍ୱାବ ପରୀକ୍ଷା ଉପରେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ଏସସିବି ମେଡିକାଲ କଲେଜ ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ। ବର୍ତ୍ତମାନ ଏସସିବିରେ ଦୈନିକ ଏକ ହଜାରରୁ ଊର୍ଦ୍ଧ୍ବ କରୋନା ସ୍ୱାବ ପରୀକ୍ଷା ହେଉଛି। ଏହି ସଂଖ୍ୟାକୁ କିପରି ଦୁଇଗୁଣ କରାଯିବ ସେ ଦିଗରେ ପ୍ରଚେଷ୍ଟା ଅବ୍ୟାହତ ରହିଥିବା ସେ ମତଦେଇଛନ୍ତି। ଏସସିବି ମେଡିକାଲରେ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀଙ୍କୁ କୋଭିଡ ସଂକ୍ରାନ୍ତ ତାଲିମ ପ୍ରକ୍ରିୟାକୁ କିପରି ଅଧିକ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖି ତାଲିମ କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବ। ମେଡିକାଲ କଲେଜରେ କେତେକ ଡାକ୍ତର ଓ ସହାୟକଙ୍କ ସହିତ ସୁରକ୍ଷା କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଆଗାମୀଦିନରେ ମେଡିକାଲ କଲେଜରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇ ଦେଇହେବନି। ସଂକ୍ରମଣକୁ ଦୃଷ୍ଟିରେ ରଖି ମେଡିକାଲ କଲେଜର ସମସ୍ତ ଡାକ୍ତର, ସେବିକା ଓ କର୍ମଚାରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ମେଡିକାଲରେ କିପରି ଅଧିକରୁ ଅଧିକ ସୁରକ୍ଷା ସରଞ୍ଜାମ ଉପଲବ୍ଧ ଦିଗରେ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ମେଡିକାଲ କଲେଜର ନୂତନ ଅଧ୍ୟକ୍ଷଭାବେ ଦାୟିତ୍ୱ ନେବା ଅବସରରେ ଡା. ହୋତା କହିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ପାଇଁ ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷାଦାନ ବନ୍ଦ ରହିଛି। ଅନଲାଇନ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।
ଡା. ହୋତା ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ)ରେ ଓଡ଼ିଶାର ପ୍ରତିନିଧି ରହିଛନ୍ତି। ବର୍ତ୍ତମାନ ସେ ଜାତୀୟ ମେଡିକାଲ କାଉନସିଲରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଏସସିବି ମେଡିକାଲ କଲେଜ ମୂତ୍ରଶଲ୍ୟ ବିଭାଗରେ ୨୦୦୯ରେ ଏମସିଏଚ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ତାଙ୍କ ପ୍ରଚେଷ୍ଟାରେ ୨୦୧୨ ମାର୍ଚ୍ଚରେ ଏସସିବିରେ କିଡନୀ ପ୍ରତିରୋପଣ ଆରମ୍ଭ ହେବା ସହିତ ୨୦୨୦ ଫେ୧ୃଆରୀରେ ରାଜ୍ୟର ପ୍ରଥମ ମେଡିକାଲଭାବେ ସଫତଳାର ସହିତ କାଡାଭେରିକ ଅସ୍ତ୍ରୋପଚାର ହୋଇଥିଲା। ସ୍ୱାସ୍ଥ୍ୟସେବା ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାରୁ ଦ୍ୱିତୀୟ ଡାକ୍ତରଭାବେ ସେ ୨୦୧୭ରେ ଡା. ବିସି ରାୟ ସମ୍ମାନ ପାଇଥିଲେ।

Comments are closed.