ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ‘ଓଡ଼ିଆ ଆନ୍ଦୋଳନର ଇତିହାସ’ ପୁନଃ ପ୍ରକାଶିତ

କଟକ : ଜ୍ୟୋତିଷ ବିଦ୍ୟା ସମେତ ସାରସ୍ବତ କ୍ଷେତ୍ରରେ ନିଜର ସ୍ବର୍ଣ୍ଣିମ ସ୍ବାକ୍ଷର ରଖିଯାଇଛନ୍ତି ପଣ୍ଡିତ ବାଇକୋଳି ମହାପାତ୍ର। ଇତିହାସ, ପୁରାଣ, ଜୀବନୀ ଆଦି ବିଭାଗରେ ସେ ରଚନା କରିଯାଇଛନ୍ତି ଅନେକ ଉପାଦେୟ ପୁସ୍ତକ। ଅତି ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ଜ୍ୟୋତିଷ ବିଶାରଦ, ପ୍ରଖ୍ୟାତ ଜ୍ୟୋତିର୍ବିଦ ପଣ୍ଡିତ ବାଇକୋଳି ପ୍ରତିକୂଳ ପରିସ୍ଥିତି ସହ କଠିନ ସଂଗ୍ରାମ କରି ନିଜକୁ ପ୍ରତିଷ୍ଠିତ କରାଇବାରେ ସକ୍ଷମ ହୋଇଥିଲେ।

ଶିକ୍ଷକତା ବୃତ୍ତିରେ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ଗଭୀର ଜ୍ଞାନ ଆହରଣ କରିଥିଲେ। ‘ଜ୍ୟୋତିଷ ସାର ରତ୍ନାବଳୀ’, ‘ଜାତକ ଦର୍ପଣ’, ‘ବୃହତ ଜାତକ’, ‘ଭାରତୀୟ ଜ୍ୟୋତିଷର ଇତିହାସ’, ‘ଋଷି ଜୀବନ’ ଆଦି ତାଙ୍କର ସାରସ୍ବତ କୃତିର ଏକଏକ ବଳିଷ୍ଠ ସ୍ବାକ୍ଷର। ‘ଓଡ଼ିଆ ଆନ୍ଦୋଳନର ଇତିହାସ’ ତାଙ୍କର ସର୍ବଶେଷ ରଚନା। ପଣ୍ଡିତ ବାଇକୋଳିଙ୍କ ପୁସ୍ତକ ଓଡ଼ିଆ ଆନ୍ଦୋଳନର ଇତିହାସ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଆନୁକୂଲ୍ୟରେ, ତତ୍କାଳୀନ ‘ସମାଜ’ ସମ୍ପାଦକ ରାଧାନାଥ ରଥଙ୍କ ଦ୍ବାରା ୧୯୭୯ ମସିହାରେ ପ୍ରକାଶିତ ହୋଇଥିଲା।
ଏହି ଉପାଦେୟ, ଉଚ୍ଚକୋଟୀର ପୁସ୍ତକର ଦ୍ବିତୀୟ ସଂସ୍କରଣ ଆଜି ଦୀର୍ଘ ୪୫ ବର୍ଷ ପରେ ଅଗଣିତ ପାଠକଙ୍କ ଅନୁରୋଧ କ୍ରମେ ତାଙ୍କର ଜୟନ୍ତୀ ଅବସରରେ ପ୍ରକାଶ ପାଇଛି। ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ଏହା ପୁନଃ ପ୍ରକାଶିତ ହେବା ଗୌରବର ବିଷୟ ବୋଲି ମତପ୍ରକାଶ ପାଇଛି। ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ଗୋପବନ୍ଧୁ ଭବନରେ ଏହାର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କରିଥିଲେ ଲୋକସେବକ ମଣ୍ଡଳର ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ। ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଇଣ୍ଡିଗୋ କଲେଜର ନିର୍ଦେଶକ ଭବାନୀ ପ୍ରସାଦ ମିଶ୍ର, ଗୋପବନ୍ଧୁ ସାହିତ୍ୟ ମନ୍ଦିର ଇନ୍‌ଚାର୍ଜ ସହ-ସମ୍ପାଦିକା ମମତା ବିଶୋଇ, ବରିଷ୍ଠ ବ୍ୟଙ୍ଗଚିତ୍ରଶିଳ୍ପୀ ଜ୍ଞାନ ରଥ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଲୋକସମ୍ପର୍କ ଅଧିକାରୀ ଶରତ କର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.