ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ଗୃହ ଉଦ୍‍ଘାଟନ

ଆଠଗଡ :  ଆଠଗଡସ୍ଥିତ ସରକାରୀ ମାଧ୍ୟମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ନବନିର୍ମିତ ଅଟ୍ଟାଳିକା ଶୁକ୍ରବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ କାଳନ୍ଦୀ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ବିକାଶ ଲାଗି ବହୁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିବା ସହ ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି ମଧ୍ୟ ପଦକ୍ଷେପ ନିଆଯାଉଥିବା ମତବ୍ୟକ୍ତ କରିଥିଲେ। ଉନ୍ନତମାନର ଶିକ୍ଷାଦାନ ସହିତ ବିଦ୍ୟାର୍ଥୀଙ୍କୁ ଭଲ ମଣିଷ ଭାବେ ଗଢିତୋଳିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଗୁରୁଦାୟିତ୍ୱ ବୋଲି ସେ ମତପ୍ରକାଶ କରିଥିଲେ । ୮୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଅଟ୍ଟାଳିକାରେ ଗୋଟିଏ ବଡ ତାଲିମ କକ୍ଷ ଓ ୨ଟି ଶ୍ରେଣୀକକ୍ଷ ରହିଥିବା ଜଣାପଡିଛି । ସ୍କୁଲର ଶିକ୍ଷୟିତ୍ରୀ ସ୍ନିଗ୍ଧା ପଟ୍ଟନାୟକ, ସୁବାଶିଷ ଧମ୍ବ, କୁଶ ସାହୁ, ସୁଧୀର ମହାନ୍ତି ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନୂତନ ଅଟ୍ଟାଳିକା ନିର୍ମାଣ କରିଥିବା ଏ ଶ୍ରେଣୀ ଠିକାଦାର ଇଂ ବିଭୂ ଶ୍ରୀପଦ ଦାସ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

Comments are closed.