୨୦୨୧ ଆଇପିଏଲ୍‌ ପାଇଁ ସିଏସ୍‌କେ ନେଇପାରେ କଠୋର ନିଷ୍ପତ୍ତି, ବାଦ୍‌ପଡ଼ିବେ ଏକାଧିକ ଖେଳାଳି

ଚେନ୍ନଇ, ୨୨।୧୦: ଚେନ୍ନଇ ସୁପର କିଙ୍ଗ୍‌ସ ହେଉଛି ଏପରି ଏକ ଦଳ; ଯାହା ୧୧ଟି ଆଇପିଏଲ୍‌ ସିଜିନ୍‌ରେ ଖେଳିଥିଲେ ହେଁ ବହୁତ କମ୍ ଖେଳାଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ୟୁଏଇରେ ଏ​‌ବେ ଚାଲିଥିବା ଆଇପିଏଲ୍‌ର ୧୩ଶ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ବାଧୀନ ସିଏସ୍‌କେ ଦଳ ଯେପରି ପ୍ରଦର୍ଶନ କରିଛି; ତାହା ଦେଖି ଦଳ ମ୍ୟାନେଜମେଣ୍ଟ କହୁଛି- ବହୁତ ହୋଇଗଲା। ଏବେ ଦଳ ପାଇଁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଦଳରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। କ୍ରିକେଟ୍‌ ଦୁନିଆର ସବୁଠାରୁ ଅଭିଜ୍ଞ ଓ ନାମୀ କ୍ରିକେଟର ସିଏସ୍‌କେରେ ଥିଲେ ହେଁ ଚଳିତ ସଂସ୍କରଣରେ ଏହା ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟି ଜିତିଛି। ପ୍ଲେଅଫ୍‌ରୁ ଏହା ବାଦ୍‌ପଡ଼ିବା ପ୍ରାୟ ନିଶ୍ଚିତ ଲାଗୁଥିଲେ ହେଁ ଏହାର ଭାଗ୍ୟ ସୂତାଖିଅରେ ଝୁଲୁଛି।

ଆଇପିଏଲ୍‌ ଇତିହାସରେ ନିୟମିତ ଭଲ ପ୍ରଦର୍ଶନ କରିଥିବା ଦଳ ହେଉଛି ଚେନ୍ନଇ ସୁପର କିଙ୍ଗ୍‌ସ। ଯେଉଁ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏହା ୧୦ଟି ସଂସ୍କରଣ ଖେଳି ୩ ଥର ଚମ୍ପିଆନ୍ ହେବା ସହ ୮ ଥର ଫାଇନାଲ ଖେଳିଛି; ସେହି ଖେଳାଳିଙ୍କ ପ୍ରଦର୍ଶନ ଏଥର ଦୟନୀୟ ହୋଇଛି। ଦଳର ପ୍ରଦର୍ଶନ ଏଥର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ସ୍ବୀକାର କରିଛନ୍ତି। ରିପୋର୍ଟରୁ ପ୍ରକାଶ ଯେ​‌ ଚେନ୍ନଇ ସୁପର କିଙ୍ଗ୍‌ସର ପ୍ରଦର୍ଶନକୁ ନେଇ ଦଳର ବସ୍‌ମାନେ ଅତ୍ୟନ୍ତ ନିରାଶ ଓ କ୍ଷୁବ୍‌ଧ ହୋଇଛନ୍ତି। ଦଳରେ ସେନ୍‌ ୱାଟ୍‌ସନ, ଫାଫ୍ ଡୁ ପ୍ଲେସି, ମହେନ୍ଦ୍ର ସିଂହ ଧୋନି ଓ ଅମ୍ବତି ରାୟୁଡୁଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଥିଲେ ହେଁ ସେମାନଙ୍କ ପାଖରେ ମ୍ୟାଚ୍ ଫିନିସ୍ କରିବାର ଦକ୍ଷତା ଆଉ ନାହିଁ ବୋଲି ପ୍ରମାଣିତ ହୋଇଯାଇଛି। ପୁଣି କେଦାର ଯାଦବ ଓ ପୀୟୁଷ ଚାୱଲାଙ୍କ ପରି ଖେଳାଳି ନିମୟିତ ବିଫଳ ହେବା ସତ୍ତ୍ବେ ସେମାନଙ୍କୁ ସମର୍ଥନ ଦେଇଥିବା ଧୋନିଙ୍କ ନେତୃତ୍ବ ପ୍ରତି ମଧ୍ୟ ପ୍ରଶ୍ନବାଚୀ ଉଠିଛି। ୨୦୨୧ ସିଜିନ୍‌ର ଖେଳାଳି ନିଲାମ ପୂର୍ବରୁ ଏପରି ଖେଳାଳିଙ୍କୁ ଦଳରୁ ବାଦ୍‌ଦେବାକୁ ସିଏସ୍‌କେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇସାରିଛି। ସିଏସ୍‌କେର ଜଣେ କ୍ଷମତାସମ୍ପନ୍ନ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଦେଖନ୍ତୁ ଷ୍ଟିଫେନ୍ ଫ୍ଲେମିଂ କ’ଣ କହିଲେ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଥର ଦଳର କବଚରେ ଏକାଧିକ ଫାଟ ପଦାକୁ ଆସିଛି। ନିଶ୍ଚିତ ଭାବେ କିଛି କଠୋର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଏବଂ ଆସନ୍ତା ସଂସ୍କରଣ ମଧ୍ୟରେ ବହୁତ କମ୍ ସମୟ ଥିବାରୁ ଖୁବ୍ ଶୀଘ୍ର କିଛି ନିଷ୍ପତ୍ତି ନେବାକୁ ପଡ଼ିବ। ଚଳିତବର୍ଷ ସିଏସ୍‌କେ ଖେଳାଳିଙ୍କ ହାରାହାରି ବୟସ ୩୧ ବର୍ଷରୁ ଅଧିକ। ସୁରେଶ ରୈନା ଓ ହରଭଜନ ସିଂହ ଖେଳିଥିଲେ ଏହା ୩୨ ବର୍ଷ ଅତିକ୍ରମ କରିଥାଆନ୍ତା। ତେଣୁ ସିଏସ୍‌କେକୁ ‘ଡାଡିଜ୍‌ ଆର୍ମି’ ନାମ ଦିଆ ଯାଇଥିଲା। ଦଳର କିଛି ଖେଳାଳିଙ୍କ ବୟସ ୩୫ରୁ ଅଧିକ ଥିବା ବେଳେ ଅଧିକାଂଶ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଅଧିକ। ଏହାସତ୍ତ୍ବେ ୨୦୧୮ ଓ ୨୦୧୯ରେ ଏହି ଦଳ ଫାଇନାଲ ଖେଳି ଥରେ ଚମ୍ପିଆନ୍ ହୋଇଥିଲା। ତେବେ ଚଳିତ ସିଜିନ୍‌ରେ ସେମା​‌​‌ନେ ପୂର୍ବପରି ପ୍ରଦର୍ଶନ କରି ପାରିନାହାନ୍ତି। ତେଣୁ ୨୦୨୧ ସିଜିନ୍‌ ପୂର୍ବରୁ କିଛି ବୟସ୍କ ଖେଳାଳିଙ୍କୁ ବାଦ୍‌ଦେଇ ଯୁବ ଖେଳାଳିଙ୍କୁ କିଣିବା ଲକ୍ଷ୍ୟରେ ରହିଛି। ଦଳ ସୂତ୍ରରୁ ପ୍ରକାଶ ଯେ ୱାଟ୍‌ସନ, କେଦାର, ଚାୱଲା, ଇମ୍ରାନ୍ ତାହିର ପ୍ରଭୃତିଙ୍କୁ ବାଦ୍ ଦିଆଯିବ। ସୁରେଶ ରୈନା ଓ ହରଭଜନ ଖେଳିବାକୁ ରାଜିହେଲେ ମଧ୍ୟ ଉଭୟଙ୍କୁ ଦଳରେ ଆଉ ନିଆଯିବ ନାହିଁ। ତେବେ ଧୋନି ଖେଳିବେ କି ନାହିଁ; ଏହି ନିଷ୍ପତ୍ତି ଦଳ ତାଙ୍କ ଉପରେ ଛାଡ଼ିଦେବ। ତେବେ ଅଦ୍ୟାବଧି ଧୋନି ଭଲ ୱିକେଟ ରକ୍ଷଣ କରିଥିଲେ ବି ବ୍ୟାଟିଂ ଓ ନେତୃତ୍ବରେ ବିଫଳ ହୋଇଛନ୍ତି। ତଥାପି ସିଏସ୍‌କେ ପ୍ରଶଂସକଙ୍କ ଦାବିରେ ଧୋନିଙ୍କୁ ଆଉ ଗୋଟିଏ ସିଜିନ୍ ଖେଳିବାକୁ ଦିଆଯିବ; ଅଧିକ ନୁହେଁ।

Comments are closed.