ପରିବହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ କ୍ରୁଟ୍‌କୁ ଜାତୀୟ ପୁରସ୍କାର, ଗଡିବ ଇ-ବସ ଓ ଇ-ରିକ୍ସା

ଭୁବନେଶ୍ୱର: ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କୃର୍ଷତା ହାସଲ କରିଛି କ୍ୟାପିଟାଲ ରିଜିଓନାଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)। ରାଜ୍ୟରେ ମୋ ବସ୍ ସେବା ପାଇଁ କ୍ରୁଟକୁ ପୁଣି ଥରେ ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଅକ୍ଟୋବର ୨୯ ତାରିଖ ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ମନ୍ତ୍ରୀଙ୍କ ଠାରୁ କ୍ରୁଟ ସାଧାରଣ ପରିଚାଳକ ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ ଶ୍ରୀମତୀ ମହାପାତ୍ର ବିଗତ ଦୁଇବର୍ଷ ଧରି କୋଭିଡ ମହାମାରୀ ସମୟରେ ମଧ୍ୟ କିଭଳି ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗି ପାରିଥିଲା ସେନେଇ ଏକ ବିସ୍ତୃତ ଟିପ୍ପଣୀ ରଖିଥିଲେ। କରୋନା ମହମାରୀ ପ୍ରଭାବ ସତ୍ତ୍ବେ ଯେଭଳି ଭାବରେ ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ବାସଭାଜନ ହୋଇପାରିଛି ତାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଦେବ। ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟ ସେବାକୁ ଆହୁରି ତ୍ବରାନ୍ବିତ କରାଯାଇଛି। ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍ ଏବଂ ଇ-ରିକ୍ସା ଶୁଭାରମ୍ଭ କରିବାକୁ ଯୋଜନା ରଖିଛି। ସେହିପରି କ୍ରୁଟ ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ସିଂ କହିଲେ ଯେ, ଏଭଳି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ମୋ ବସ ପାଇଁ ନିହାତି ଏକ ଖୁସି ଖବର । ଏହା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ସୂଚନା ଅନୁସାରେ, କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ୟୁଏମଆଇ ସମ୍ମିଳନୀରେ ଲଗାତାର ତିନିବର୍ଷ କ୍ରୁଟକୁ ସର୍ବଶ୍ରେଷ୍ଠ ସଂସ୍ଥା ଭାବେ ମନୋନୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ୟୁଏମ୍‌ଆଇ ପକ୍ଷରୁ ‘ଆୱାର୍ଡ଼ ଫର ଏକ୍ସିଲେନ୍ସି ଇନ୍ ଅର୍ବାନ ଟ୍ରାନ୍ସପୋର୍ଟ’ ସମ୍ମାନ ମିଳିଥିବାବେଳେ ଏସ୍‌ଭିପି ବର୍ଗରେ ‘ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ ୨୦୨୧’, ୨୦୨୦ରେ କରୋନା ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ନିଆଯାଇଥିବା ଅଭିନବ ପଦକ୍ଷେପ ପାଇଁ ପୁରସ୍କାର ଏବଂ ୨୦୧୯ ରେ ‘ବେଷ୍ଟ ସିଟି ବସ୍ ସର୍ଭିସ୍ ପ୍ରୋଜେକ୍ଟ’ ସମ୍ମାନ କ୍ରୁଟକୁ ପ୍ରଦାନ କରାଯାଇଛି।

Comments are closed.