କ୍ରସର ଆନ୍ଦୋଳନକାରୀଙ୍କ ଐତିହାସିକ ବିଜୟ : ଗାଁ ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ,କ୍ରସର ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଘୋଷଣା

ହରଭଙ୍ଗା : ଶୀଳ୍ପବିହୀନ ବୌଦ୍ଧଜିଲ୍ଲାର ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଦୀର୍ଘ ୧୫ବର୍ଷ ହେଲା ଚାଲୁରହିଥିବା ବିନାଶକାରୀ ପଥର ଏବଂ କ୍ରସର ଶିଳ୍ପ ବନ୍ଦ ପାଇଁ ଶନିବାର ବୌଦ୍ଧ ଜିଲ୍ଲାପାଳ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ କ୍ରସର ବନ୍ଦ ନିଷ୍ପତ୍ତି ପରେ ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କୁ ପ୍ରଂଶସା କରିବା ସହିତ ଏହା ସେମାନଙ୍କର ଐତିହାସିକ ବିଜୟ ବୋଲି କହିଛନ୍ତି।

ପ୍ରକାଶ ଯେ ହରଭଙ୍ଗା ତହସିଲର ଛତ୍ରଙ୍ଗ ପଂଚାୟତର ଖରଭୁଇଁ ଅଂଚଳରେ ଚାରି ଚାରିଟି ପଥର କୁଆଁରୀ ଏବଂ ଷ୍ଟୋନ କ୍ରସର ଚାଲୁରହିଥିଲା। ଏଭଳି ବିନାଶକାରୀ ଶିଳ୍ପକୁ ସମ୍ପୂର୍ଣ୍ଣ ଉଛେଦ ପାଇଁ ଗାଁ ଲୋକେ ବଜ୍ରଶପଥ ଗ୍ରହଣ କରିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ।ଫଳରେ ଦୀର୍ଘ ୩ମାସହେଲା ସମସ୍ତ କ୍ରସର ଶିଳ୍ପ ବନ୍ଦ ହୋଇପଡିଥିଲା।କ୍ରସର ବିବାଦର ସମାଧାନ ପାଇଁ ଗତ ଗୁରୁବାର ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ବୈଠକ ଆହ୍ୱାନ କରାଯାଇଥିଲା।ମାତ୍ର ଏହି ବୈଠକରେ ଆନ୍ଦୋଳନକାରୀ ଏବଂ ଆନ୍ଦୋଳନର ପ୍ରମୁଖ ମଙ୍ଗ ଧରିଥିବା ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କୁକୁ ସାମିଲ କରାନଯିବାରୁ ଆଲୋଚନା ଫସର ଫାଟିଥିଲା । ପୁର୍ନବାର ଜିଲ୍ଲାପ୍ରଶାସନ କ୍ରସର ବିବାଦ ସମାଧାନ ପାଇଁ ଶନିବାର ସପକ୍ଷବାଦୀ ,ବିପକ୍ଷବାଦୀ ସମସ୍ତଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ଏସ.ପି,ହରଭଙ୍ଗା ତହସିଲଦାର, ,ହରଭଙ୍ଗା ବି.ଡି.ଓ ,ହରଭଙ୍ଗା ଅତିରିକ୍ତ ତହସିଲଦାର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ,୯ନଂ ଜିଲ୍ଲାପରିଷଦ ସଭ୍ୟ ,ଛତ୍ରଙ୍ଗ ସରପଂଚ,କ୍ରସର ମାଲ୍ଲିକ ଏବଂ ଅନ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।ଶେଷରେ ଜିଲ୍ଲାପାଳ ଗାଁ ଲୋକଙ୍କ ନିଷ୍ପତିକୁ ସମ୍ମାନ ଜଣାଇବା ସହିତ ଖରଭୁଇଁ ଅଂଚଳରେ କ୍ରସର ଶିଳ୍ପ ବନ୍ଦ ପାଇଁ ନିଷ୍ପତି ନେଇଥିଲେ।କ୍ରସର ମାଲ୍ଲିକଙ୍କୁ ୩୦ଦିନ ଭିତରେ ସମସ୍ତ ଜିନିଷପତ୍ର ଅପସାରଣ କରିବାକୁ ଜିଲ୍ଲାପାଳ ସମୟ ଦେଇଥିଲେ।

ଆସନ୍ତା ୧ ନଭେମ୍ବରରୁ କ୍ରସର ଗୁଡିକୁ ସଂପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତି ଶୁଣାଇଥିଲେ। ଆନ୍ଦୋଳନକାରୀଙ୍କ ଏବଂ ସାଧାରଣ ଲୋକଙ୍କ ଜୀବନଜୀବିକାର ସୁବିଧା ଅସୁବିଧା ଜିଲ୍ଲାପାଳ ହୃଦୟଙ୍ଗମ କରି ଏଭଳି ବଡ ନିଷ୍ପତି ଶୁଣାଇଥିବାରୁ ଜିଲ୍ଲାପ୍ରଶାସନକୁ ଆନ୍ଦୋଳନକାରୀ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି ଖରଭୁଇଁ ଅଂଚଳରେ ପଥର କୁଆଁରୀ ଏବଂ କ୍ରସର ଶିଳ୍ପ ଯୋଗୁଁ ଚିରସବୁଜ ପ୍ରାକୃତିକ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ପଥର ଉତ୍ତୋଳନ ପାଇଁ କରାଯାଉଥିବା ବଡ ବଡ ବିସ୍ଫୋରଣ ଯୋଗୁଁ ଲୋକେ ପ୍ରତିଦିନ ମୃଦୁ ଭୂକମ୍ପ ଅନୁଭବ କରିବା ସହ ଘରଦ୍ୱାର ଫାଟୁଥିଲା।ଏହା ସହିତ କ୍ରସରର ଧୂଲିକଣାରେ ଲୋକେ ବିଭିନ୍ନ ଅଚିହ୍ନା ରୋଗରେ ଆକ୍ରାନ୍ତ ହେବା ସହ କିଡନୀ ଭଳି ମାରାତ୍ମକ ରୋଗରେ ପଡି ମୃତ୍ୟୁ ସହ ଲଢେଇକରୁଥିଲେ। ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏଭଳି ବିନାଶକରୀ ଶିଳ୍ପକୁ ସଂପୂର୍ଣ୍ଣଭାବେ ଖରଭୁଇଁ ଅଂଚଳରୁ ଉଛେଦ ପାଇଁ ଗାଁ ଲୋକେ ଏକତ୍ରୀତ ହୋଇ ଲଢେଇ ଜାରିରଖିଥିଲେ।

Comments are closed.