କ୍ରସର ମାଲିକ ଅପହରଣ ପ୍ରସଙ୍ଗ, ଖୁବଶୀଘ୍ର ପୁଲିସ ପଞ୍ଝାରେ ଆସିବେ ଅପହରଣକାରୀ: ଏସ୍‍ପି

- ଏପଟେ ଚଢ଼ଉ, ସେପଟେ ଅପହୃତ ଘରେ ହାଜର

ସୁନ୍ଦରଗଡ଼: ଗତ ଶନିବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ କ୍ରସର ୟୁନିଟର ଅନୀତି ଦୁରରୁ କ୍ରସର ମାଲିକ ଅପହରଣ ଘଟଣାରେ ପୁଲିସ ଓ ଅପହରଣକାରୀଙ୍କ ମଧ୍ୟରେ ଚାଲିଥିବା ଏକ ପ୍ରକାର ଛକାପଞ୍ଝା ସମାପ୍ତ ହୋଇଛି। ପୁଲିସ ସିଧାସଳଖ ଅପହରଣକାରୀଙ୍କୁ କାବୁ କରିବାରେ ଅସମର୍ଥ ହୋଇଥିଲେ ହିଁ ଅପହୃତ କ୍ରସର ମାଲିକଙ୍କୁ ଯେଉଁ ସ୍ଥାନରେ ଅଟକ ରଖା ଯାଇଥିଲା ସେ ପାଖାପାଖି ଅଞ୍ଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଞ୍ଚି ଯାଇଥିଲେ ହିଁ ବୈଷୟିକ ଯୋଗାଯୋଗର ତୃଟି ଯୋଗୁଁ ଏହା ସମ୍ଭବପର ହୋଇପାରିନଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଅପହୃତ କ୍ରସର ମାଲିକ ଚୁପ୍‍ କିନା ସୁରକ୍ଷିତ ଅବସ୍ଥାରେ ଘରେ ହାଜର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଏ ସଂପର୍କରେ ପୁଲିସ ସଂପୂର୍ଣ୍ଣ ବିବରଣୀୟ ଦେବା ପାଇଁ ଇଚ୍ଛା ପ୍ରକଟ କରିନଥିଲେ ମଧ୍ୟ ଖୁବଶୀଘ୍ର ଅପହରଣକାରୀଙ୍କୁ ଗିରଫ କରାଯିବ ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଦୃଢ଼ତାର ସହ ସୂଚନା ଦେଇଛନ୍ତି। ଅପରପକ୍ଷରେ ଅପହୃତ କ୍ରସର ମାଲିକ ପୁଲିସକୁ ନିଜେ ଘରେ ପହଞ୍ଚିବା ସଂପର୍କରେ ସୂଚନା ଦେବା ପୂର୍ବରୁ କୁଆଡ଼େ ପ୍ରାୟ ୧ଘଣ୍ଟା ପୂର୍ବରୁ ପୁଲିସ ପାଖରେ ଖବର ଥିଲା ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ହେବା ପରଠାରୁ କୁଣ୍ଡୁଙ୍କ ପରିବାର ବର୍ଗ ଏକ ପ୍ରକାର ଦୁଶ୍ଚିନ୍ତାରେ ଥିବା ବେଳେ ପୁଲିସ ପାଇଁ ମଧ୍ୟ ଏ ଅପହରଣ ଘଟଣା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ପୂର୍ବରୁ ସୁନ୍ଦରଗଡ଼ ପୁଲିସ ଜିଲାରେ ହୋଇଥିବା ହାଇ ପ୍ରୋଫାଇଲ ଅପହରଣ ଘଟଣା ପୁଲିସୁ ବେଶ ସଫଳତା ମିଳିଥିବା ବେଳେ ପରବର୍ତ୍ତୀ ଅନ୍ୟ ଏକ ଠିକାଦାର ଅପହରଣ ମାମଲାରେ ପୁଲିସର ସମସ୍ତ ପଦକ୍ଷେପ ଓ ପରିଶ୍ରମ ବୃଥା ହୋଇଯାଇଥିବା ପ୍ରସଙ୍ଗ ମଧ୍ୟ ଚର୍ଚ୍ଚା ଘେରକୁ ଚାଲିଆସିଛି।

ଅପହୃତ କ୍ରସର ମାଲିକଙ୍କ ଚାବି ଲଗା କାର, ମୋବାଇଲ ଓ ସିରିଞ୍ଜକୁ ଜବତ କରି ପୁଲିସ ଯେଉଁ ଢଙ୍ଗରେ ତଦନ୍ତ ଆରମ୍ଭ କରିଥିଲା ତାହା ଅପହରଣକାରୀଙ୍କୁ କାବୁ କରିବା ଦିଗକୁ ଅଗ୍ରସର ହେଉଥିଲେ ହିଁ ଶେଷ ମୁହୁର୍ତ୍ତରେ କୁଆଡ଼େ ବୈଷୟିକ ଯୋଗାଯୋଗ ଯୋଗୁଁ ଏହା ଫେଲ ମାରିଥିବା ବେଳେ ଅଧିକ ସମୟ ଅପହୃତ କ୍ରସର ମାଲିକଙ୍କୁ ନିଜ ହେପାଜତରେ ରଖିବାକୁ ଅପହରଣକାରୀମାନେ ସୁରକ୍ଷିତ ମଣିନଥିଲେ। ଫଳସ୍ୱରୂପ ତାଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଘର ବାହୁଡ଼ାର ରାସ୍ତା ଦେଖେଇ ଦେଇଥିଲେ। ଅପହରଣକାରୀ ଓ ଅପହୃତ କ୍ରସର ମାଲିକଙ୍କ ଭିତରେ କି ପ୍ରକାର ଆଲୋଚନା ଓ ବୁଝାମଣା ହୋଇଛି ତାହା ତଦନ୍ତ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି ମାତ୍ର ଅପହୃତ କ୍ରସର ମାଲିକ ସଶରୀରେ ଓ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚିବା ମଧ୍ୟ ପୁଲିସ ପାଇଁ ଆଶ୍ୱସ୍ତିର ଖବର ହୋଇଥିଲେ ହିଁ ଅପହରଣକାରୀ ପୁଲିସ ହାତ ପାହାନ୍ତାରୁ ଖସି ଯିବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଥିଲେ ହିଁ ଶେଷ ଖବର ଲେଖା ହେଲା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି। ଅପହୃତ କ୍ରସର ମାଲିକ ଅପହରଣ ପରଠାରୁ ତାଙ୍କ ସହ କଣ ଘଟିଥିଲା ଓ ସେ କେଉଁ ଅଞ୍ଚଳରେ ଥିଲେ, ଅପହରଣକାରୀ ଗ୍ୟାଙ୍ଗ ତାଙ୍କ ସହ କେଉଁ ପ୍ରକାର ବ୍ୟବହାର କରୁଥିଲେ ଓ ଘରକୁ କିପରି ଫେରିଲେ ସେ ସଂପର୍କରେ ଗଣମାଧ୍ୟମକୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଶ୍ରାମ ନେବା ପାଇଁ ପୁଲିସ ପରାମର୍ଶ ଦେଇଥିବାର ଜଣାପଡ଼ିଛି।

Comments are closed.