ଫସଲ ଉଜାଡି ଦେଲା “ଜୱାଦ’ : ପାଣିରେ ଭାସୁଛି ପାଚିଲା ଧାନ

ପିପିଲି : ବାତ୍ୟା “ଜୱାଦ’ ଯୋଗୁଁ ପିପିଲି ଅଞ୍ଚଳରେ ବ୍ୟାପକ ଫସଲ ହାନି ହୋଇଛି । ବାତ୍ୟା ପ୍ରଭାବରେ ଶୁକ୍ରବାର ଅପରାହ୍ନରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ଫଳରେ ଶହ ଶହ ହେକ୍ଟର ଜମିରେ ପାଚିଲା ଧାନ ଏବେ ପାଣିରେ ଭାସୁଥିବା ପରିଲକ୍ଷିତ ହୋଇଛି । ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିବା ଅଧିକାଂଶ ପନିପରିବା ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଥିବା ସୂଚନା ମିଳିଛି । ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲକୋବି, କଲରା, ବିଲାତିବାଇଗଣ, ବାଇଗଣ, ପୋଟଳ, ଜହ୍ନି, ଝୁଡଙ୍ଗ, ବିନ୍‍, ଲଙ୍କା, ଶାଗ ଆଦି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବର୍ଷା ଯୋଗୁଁ ଛତୁଚାଷ ଓ ଫୁଲଚାଷ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧାନ ସମେତ ପନିପରିବା ଚାଷ ଉଜୁଡି ଯିବା ଯୋଗୁଁ ଚାଷୀଙ୍କ ଆର୍ଥୀକ ମେରୁଦଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିବା ସୂଚନା ମିଳିଛି ।

ସାମୁଦ୍ରିକ ବାତ୍ୟା “ଜୱାଦ’ର ପ୍ରଭାବରେ ଶୁକ୍ରବାର ଅପରାହ୍ନରୁ ରବିବାର ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଥିଲା । ଫଳରେ ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲୋକେ ଘରୁ ପଦାକୁ ବାହାରିନଥିବା ପରିଲକ୍ଷିତ ହୋଇଥିଲା । ବର୍ଷା ଛାଡିବା ପରେ ଅପରାହ୍ନରେ ବଜାରଘାଟ ଚଳଚଞ୍ଚଳ ହୋଇଥିବା ବେଳେ ଚାଷୀମାନେ ସେମାନଙ୍କ ବିଲରୁ ପନିପରିବା ତୋଳିଆଣି ଶସ୍ତାରେ ବିକ୍ରି କରୁଥିବା ପରିଲକ୍ଷିତ ହୋଇଥିଲା । ବିଲରେ ପାଚିଲାଧାନ ପାଣିରେ ଭାସୁଥିବା ବେଳେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି । ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆଜି ପିପିଲି ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁଙ୍କ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରି ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବା ସୂଚନା ମିଳିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଫସଲ କ୍ଷତିଜନିତ ଆର୍ଥିକ ସହାୟତା ଯୋଗାଇଦେବାକୁ ଚାଷୀକୂଳ ଦାବି କରିଛି ।

Comments are closed.