୧୦୦ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ : ରୋନାଲ୍‍ଡୋ ୨ୟ ପୁରୁଷ ଫୁଟ୍‍ବଲର

ଷ୍ଟକ୍‍ହୋମ୍‍ : ବିଶ୍ୱ ଫୁଟ୍‍ବଲ ଇତିହାସରେ ୨ୟ ପୁରୁଷ ଫୁଟ୍‍ବଲ ଖେଳାଳି ଭାବେ ୧୦୦ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିବାର କୃତିତ୍ୱ ହାସଲ କରିଛନ୍ତି ପର୍ତ୍ତୁଗାଲ୍‍ର କ୍ରିଷ୍ଟିଆନୋ ରୋନାଲ୍‍ଡୋ। ଏଠାରେ ଚାଲିଥିବା ୟୁଏଫା ନେସନ୍‍ସ ଲିଗ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‍ରେ ସ୍ୱିଡେନ୍‍ ବିପକ୍ଷରେ ପର୍ତ୍ତୁଗାଲ୍‍ର ମ୍ୟାଚ୍‍ରେ ୨ଟିଯାକ ଗୋଲ୍‍ ସ୍କୋର୍‍କରି ରୋନାଲ୍‍ଡୋ ଏହି କୃତିତ୍ୱ ହାସଲ କରିଛନ୍ତି। ଗ୍ରୁପ୍‍-୩ର ଏହି ମ୍ୟାଚ୍‍ରେ ସ୍ୱିଡେନ୍‍କୁ ପର୍ତ୍ତୁଗାଲ୍‍ ୨-୦ ଗୋଲ୍‍ରେ ପରାସ୍ତ କରିଛି। ରୋନାଲ୍‍ଡୋଙ୍କ ପୂର୍ବରୁ ବିଶ୍ୱର ସର୍ବପ୍ରଥମ ପୁରୁଷ ଫୁଟ୍‍ବଲ ଭାବେ ଇରାନ୍‍ର ଅଲ୍‍ ଡାଏଇ ୧୦୦ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିଛନ୍ତି। ଅଲ୍‍ ଡାଏଇ ୧୦୯ଟି ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିଥିବା ବେଳେ ରୋନାଲ୍‍ଡୋ ୧୦୧ ଆର୍ନ୍ତଜାତିକ ଗୋଲ୍‍ ସହ ୨ୟ ସ୍ଥାନରେ ରହିଛନ୍ତି।

ତେବେ ମହିଳା ଫୁଟ୍‍ବଲ ଖେଳାଳି ଭାବେ ୧୭ ଜଣ ୧୦୦ କିମ୍ବା ଅଧିକ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିଛନ୍ତି। ସେମାନଙ୍କ ମଧ୍ୟରୁ କାନାଡ଼ାର କ୍ରିଷ୍ଟିନ୍‍ ସିନ୍‍କ୍ଲେୟାୟର ୧୮୬ ଗୋଲ୍‍ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ପର୍ତ୍ତୁଗାଲ୍‍ ପୁରୁଷ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍‍ଡୋ ପର୍ତ୍ତୁଗାଲ୍‍ ସିନିୟର ପୁରୁଷ ଦଳ ପାଇଁ ସର୍ବାଧିକ ୧୬୫ଟି ମ୍ୟାଚ୍‍ ଖେଳି ୧୦୧ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ୨୦୦୩ରେ ରୋନାଲ୍‍ଡୋ ପର୍ତ୍ତୁଗାଲ୍‍ ସିନିୟର ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ। ଏହା ପରଠାରୁ ୩୫ ବର୍ଷ ବୟସ୍କ ରୋନାଲ୍‍ଡୋ ନିୟମିତ ଖେଳି ଆସୁଛନ୍ତି। ଫୁଟ୍‍ବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ରୋନାଲ୍‍ଡୋଙ୍କୁ ଗଣନା କରାଯାଏ। କ୍ଲବ୍‍ ଫୁଟ୍‍ବଲରେ ରୋନାଲ୍‍ଡୋ ୪୦୦ରୁ ଅଧିକ ଗୋଲ୍‍ ସ୍କୋର୍‍ କରିଛନ୍ତି।

ସର୍ବଦା ୭ନଂ ଜର୍ସି ପିନ୍ଧୁଥିବାରୁ ରୋନାଲ୍‍ଡୋଙ୍କୁ ମଧ୍ୟ ‘ସିଆର୍‍୭’ ବୋଲି କୁହାଯାଏ। ସ୍ୱିଡେନ୍‍ ବିପକ୍ଷ ମ୍ୟାଚ୍‍ରେ ପ୍ରଥମାର୍ଦ୍ଧର ଶେଷଆଡ଼କୁ ସ୍ୱିଡେନ୍‍ର ଗୁଷ୍ଟାଭ୍‍ ସ୍ୱେନ୍‍ସନ ଫାଉଲ୍‍ ମାରିବାରୁ ତାଙ୍କୁ ନାଲି କାର୍ଡ ଦେଖା ଯାଇଥିଲା। ଏହାସହ ପର୍ତ୍ତୁଗାଲ୍‌କୁ ଫ୍ରିକିକ୍‍ ମିଳିଥିଲା। ଏଥିରୁ ରୋନାଲ୍‍ଡୋ ଗୋଲ୍‍ ସ୍କୋର୍‍ କରିଥିଲେ; ଯାହା ତାଙ୍କର ୧୦୦ତମ ଆନ୍ତର୍ଜାତିକ ଗୋଲ୍‍ ଥିଲା। ୭୩ ମିନିଟରେ ଏକ ଚମତ୍କାର କିକ୍‍ ମାରି ରୋନାଲ୍‍ଡୋ ବ୍ୟକ୍ତିଗତ ୨ୟ ଗୋଲ୍‍ ଦେଇଥିଲେ। ଆଉ ୯ଟି ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍କଲେ ରୋନାଲ୍‍ଡୋ ଇରାନ୍‍ର ଅଲ୍‍ ଡାଏଇଙ୍କୁ ପଛରେ ପକାଇ ବିଶ୍ୱରେ ୧ନଂ ସ୍ଥାନ ହାସଲ କରିପାରିବେ। ରୋନାଲ୍‍ଡୋଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ବ୍ରାଜିଲର ଫୁଟ୍‍ବଲ କିମ୍ବଦନ୍ତୀ ପେଲେ ଅଭିନନ୍ଦନ ଜଣାଇଛନ୍ତି।

Comments are closed.