ଯଦୁପୁରରେ କ୍ରାଇମ ସିନ୍‌ ରିକ୍ରିଏଟ କଲା ଏସଆଇଟି

ଭୁବନେଶ୍ଵର: ଯଦୁପୁର ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର କ୍ରାଇମ ସିନ୍‌ ରିକ୍ରିଏଟ କରିଛି। ଏଥିପାଇଁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ତାଙ୍କ ଟିମ୍‌ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ଯଦୁପୁର ଗ୍ରାମକୁ ନେଇଥିଲେ। ସେଠାରେ ସରୋଜ କିପରି ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ତାହାର ଡେମୋ ଦେଖାଇଛି।

କ୍ରାଇମ ସିନ୍‌ ରିକ୍ରିଏଶନ ସମୟରେ ଏସଆଇଟି ମୁଖ୍ୟ ବୋଥ୍ରା ସରୋଜକୁ ବିଭିନ୍ନ ପ୍ରଶ୍ନ କରିଥିଲେ। ମୃତଦେହକୁ କିପରି ଏବଂ କେଉଁଠି ପକାଇଥିଲା ସରୋଜ ତାହାର ଡେମୋ ଦେଖାଇଥିବା ସୂଚନା ମିଳିଛି। ଏହି ସମୟରେ ଏସଆଇଟି ଟିମ୍‌ ସହିତ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।

ତେବେ ଏହି ସମୟରେ ସରୋଜର ପରିବାର ଲୋକଙ୍କୁ ପୁଲିସ କ୍ରାଇମ ସିନ୍‌ ରିକ୍ରିଏଶନ ସ୍ଥଳକୁ ଛାଡ଼ି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ସେମାନଙ୍କୁ ଘର ଭିତରେ ବନ୍ଦ କରି ରଖିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସରୋଜ ନାବାଳିକାକୁ ହତ୍ୟା କରିଥିବା ବିଷୟରେ ପରିବାର ଲୋକେ ଜାଣିଥିଲେ ବୋଲି ଏସଆଇଟି ମୁଖ୍ୟ ଏହି ଅବସରରେ କହିଛନ୍ତି। ଏହାକୁ ବି ପରିବାର ଲୋକେ ଖଣ୍ଡନ କରିଛନ୍ତି।

Comments are closed.