ଧଉଳି ଅପହରଣର ନାୟକକୁ ଓଡ଼ିଶା ଆଣିଲା ପୁଲିସ

ଭୁବନେଶ୍ବର: ମିଛ ଅପହରଣର ନାଟକ ରଚିଥିବା ଖାଦ୍ୟ ବିତରକ ପତିତପାବନ ପୃଷ୍ଟି ଓରଫ୍‌ ଚିକୁକୁ ଧରି ଧଉଳି ଥାନା ପୁଲିସ ରାଜଧାନୀରେ ପହଞ୍ଚିଛି। ଚିକୁ ସାଙ୍ଗରେ ଧରି ଫେରାର୍ ହୋଇଯାଇଥିବା ଝିଅକୁ ମଧ୍ୟ ଉଦ୍ଧାର କରି ପୁଲିସ ଆଣିଛି। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ଓ ୪ ଜଣିଆ ସ୍ବତନ୍ତ୍ର ଦଳ ସେମାନଙ୍କୁ ଆଣିବାକୁ ମଧ୍ୟପ୍ରଦେଶର କଟନିକୁ ଯାଇଥିଲେ। ଦୁହଁିଙ୍କୁ ଧରି ଏଠାରେ ପହଞ୍ଚିବା ପରେ ଆଉ ଏକ ପ୍ରସଙ୍ଗ ଏବେ ମାମଲାକୁ ନୂଆ ମୋଡ଼ ଦେଇଛି। ଅନ୍ୟ ଜଣେ ଯୁବତୀଙ୍କୁ ଧରି ଫେରାର୍‌ ହୋଇଯାଇଥିବା ଚିକୁ ଯଦି ପତ୍ନୀ ଅହଲ୍ୟାଙ୍କ ପାଖକୁ ନ ଫେରନ୍ତି ତେବେ ସେ ପୁଲିସର ଦ୍ବାରସ୍ଥ ହେବେ ବୋଲି ରୋକଠୋକ କହିଛନ୍ତି। ଏହାକୁ ନେଇ ଘଟଣାଟି ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ସେ ଝିଅ କିଏ ମୁଁ ଚିହ୍ନିନି। ମୋ ସ୍ବାମୀ ମୋର। ସେ ନିର୍ଦୋଷ, କିଛି କରିନାହାନ୍ତି, ତାଙ୍କୁ ପୁଲିସ ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛନ୍ତି ଅହଲ୍ୟା।

ସେହିପରି ବୋହୂ ଅହଲ୍ୟାଙ୍କ ସହ କଥା ମିଳାଇ ଚିକୁର ମା’ ମଧ୍ୟ ସମାନ କଥା କହିଛନ୍ତି। ମୋ ପୁଅ ନିର୍ଦୋଷ। ପୁଅ ଓ ବୋହୂ ଏକାଠି ରୁହନ୍ତୁ। ଆମେ ୨ଟା ବୋହୂ ରଖି ପାରିବୁନି। ଚିକୁ ସହିତ ଫେରାର୍‌ ହୋଇଥିବା ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁର ବଡ଼ ଭାଇ। ଚିକୁ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା। ତଥାପି ସେ କେମିତି ଏଭଳି ଭୁଲ୍‌ କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଜାଣି ଶୁଣି ତା’ ଜୀବନକୁ ନଷ୍ଟ କରିଛି। ଚିକୁ ଏବଂ ତା’ର ପ୍ରେମିକାକୁ ପୁଲିସ ଗୁରୁବାର ଥାନାରେ ରଖି ପଚରା ଉଚରା କରୁଛି। ଚିକୁର ପରିବାର ସଦସ୍ୟଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ଗୋପ ଥାନାରେ ଅନ୍ୟ ଏକ ମାମଲା ରହିଛି। ଗୋପ ପୁଲିସ ମଧ୍ୟ ପଚରାଉଚରା କରିବାକୁ ଆସିବ। ଏନେଇ ଧଉଳି ପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି।

Comments are closed.