ଗୁପ୍‌ଚୁପ୍‌ ବିକାଳୀରୁ ଆଇପିଏଲ୍‌ କୋଟିପତି

ମୁମ୍ବଇ : ଗୁପ୍‌ଚୁପ୍‌ ବିକାଳୀରୁ ଆଇପିଏଲ୍‌ର କୋଟିପତି ପାଲଟିଛନ୍ତି ୧୭ ବର୍ଷୀୟ ଯଶସ୍ବୀ ଜୟସ୍ବାଲ୍‌। କଲକାତାରେ ଗୁରୁବାର ଆଇପିଏଲ୍‌ ନିଲାମରେ ଯଶସ୍ବୀଙ୍କୁ ରାଜସ୍ଥାନ ରୟାଲ୍‌ସ ୨.୪୦ କୋଟି ଟଙ୍କାରେ କିଣିଛି। ଯଶସ୍ବୀଙ୍କ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିବା ବେ​‌ଳେ ତାଙ୍କୁ ନେବ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶେଷରେ ରାଜସ୍ଥାନ ରୟାଲ୍‌ସ ତାଙ୍କୁ ୨.୪୦ କୋଟି ଟଙ୍କାରେ କିଣିଥିଲା।

ଉତ୍ତର ପ୍ରଦେଶର ବାଧୋଇ ବାସିନ୍ଦା ଯଶସ୍ବୀ ଜୀବିକା ସନ୍ଧାନରେ ମୁମ୍ବଇ ଚାଲି ଆସିଥିଲେ। ଏଠାରେ ସେ ଗୁପ୍‌ଚୁପ୍‌ ବିକି ଚଳୁଥିଲେ। ​‌ରହିବାକୁ ସ୍ଥାନ ନ ଥିବାରୁ ସେ ପରିବାର ସହ ଆଜାଦ୍‌ ମୈଦାନ ନିକଟରେ ଏକ ପାଲଟଣା ଘରେ ରହୁଥିଲେ। ତେ​‌ବେ କ୍ରିକେଟ୍ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ତାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଶିକ୍ଷକ ଜ୍ବାଲା ସିଂହ ତାଙ୍କୁ ନିଜ ପାଖରେ ରଖି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହାପରେ ଯଶସ୍ବୀ ଆଉ ପଛକୁ ଫେରି ଚାହିଁନାହାନ୍ତି। ମୁମ୍ବଇ ତରଫରୁ ବିଜୟ ହଜାରେ ଟ୍ରଫିରେ ଯଶସ୍ବୀ ୫୬୪ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ସେ ଆଇପିଏଲ୍‌ ଖେଳାଳି ନିଲାମରେ ସ୍ଥାନ ପାଇଥିଲେ। ରାଜସ୍ଥାନ ରୟାଲ୍‌ସ ଦଳ ତାଙ୍କୁ ୨.୪୦ କୋଟି ଟଙ୍କାରେ କିଣିଥିବାରୁ ବେଶ୍‌ ଖୁସି ଥିବା ଯଶସ୍ବୀ ମତ ଦେଇଛନ୍ତି। ପାଇଥିବା ଅର୍ଥରୁ ସେ କାର୍‌ କିମ୍ବା ବାଇକ୍‌ କିଣିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୟସ୍ବାଲ୍‌ କହିଛନ୍ତି ପ୍ରଶିକ୍ଷକ ଜ୍ବାଳା ସାର୍‌ ତାଙ୍କୁ କ୍ରିକେଟ୍‌ ଜଗତରେ ପରିଚିତ କରାଇଛନ୍ତି। ସେ ତାଙ୍କ ପାଇଁ ସବୁକିଛି। ତେଣୁ ଆଇପିଏଲ୍‌ ଖେଳାଳି ନିଲାମରୁ ମିଳିଥିବା ଅର୍ଥ କିପରି ବିନିଯୋଗ କରାଯିବ; ସେ ସଂପର୍କରେ ଜ୍ବାଳା ସାର୍‌ ନିଷ୍ପତ୍ତି ନେବେ। ଆଇପିଏଲ୍‌ରେ ସାମିଲ ହୋଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି ଏବଂ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଲେ ନିଜକୁ ଭାଗ୍ୟବାନ୍‌ ମନେକରିବେ ବୋଲି ଯଶସ୍ବୀ ସ୍ପଷ୍ଟ କରି ଦେଇଛନ୍ତି। ଆଇପିଏଲ୍‌​‌ରେ ବରିଷ୍ଠ ଖେଳାଳିଙ୍କଠାରୁ ଖେଳ ଶିଖିବାର ସୁଯୋଗ ମିଳିବାକୁ ଯାଉଥିବାରୁ ଏହାକୁ ଉପଯୋଗ କରି ନିଜ ଦକ୍ଷତାକୁ ବଢ଼ାଇବାକୁ ସେ ଉଦ୍ୟମ କରିବେ ବୋଲି ଯଶ୍ବସୀ ମତ ଦେଇଛନ୍ତି। ଅନ୍ୟପକ୍ଷରେ ବାଧୋଇରେ ଏକ ମିଠା ଦୋକାନ କରିଥିବା ଯଶସ୍ବୀଙ୍କ ବାପା ଖୁସିରେ ମିଠା ବାଣ୍ଟିଛନ୍ତି।

Comments are closed.