ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମୁକାବିଲା ଆଜିଠାରୁ

କଟକ : ଚଳିତ ସିଜିନ୍‌ରେ ଓଡ଼ିଶା ଦଳ ରଣଜୀ ଟ୍ରଫିର ଗ୍ରୁପ୍ ‘ସି’ରେ ସ୍ଥାନପାଇଛି। ଗ୍ରୁପ୍ ‘ଏ’ ଓ ‘ବି’ ତୁଳନାରେ ଗ୍ରୁପ୍ ‘ସି’ରେ ଅପେକ୍ଷାକୃତ ଦୁର୍ବଳ ଦଳ ରହିଥିଲେ ହେଁ ଅଦ୍ୟାବଧି ଓଡ଼ିଶାର ପ୍ରଦର୍ଶନ ଆଶା ଅନୁସାରେ ହୋଇଛି। ଗ୍ରୁପ୍ ‘ସି’ରୁ ୨ଟି ଦଳ କ୍ବାର୍ଟରଫାଇନାଲ ଖେଳିବାର ଥିବାରୁ ଓଡ଼ିଶା ଏହି ଦିଗରେ ଅଗ୍ରସର ହେଉଛି। ଆଉ ୨ଟି ଲେଖାଏଁ ମ୍ୟାଚ୍ ବାକିଥିବା ବେଳେ ଓଡ଼ିଶା ୩୫ ପଏଣ୍ଟ ପାଇ ଶୀର୍ଷରେ ଏବଂ ଜାମ୍ମୁ-କାଶ୍ମୀର ୩୩ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି। ସର୍ଭିସେସ୍ (୨୬), ହରିୟାଣା (୨୪) ଓ ଝାଡ଼ଖଣ୍ଡ (୨୨) ଏବେ ଦୌଡ଼ରେ ପଛରେ ପଡ଼ି ଯାଇଛନ୍ତି। ଶେଷ ୨ଟି ମ୍ୟାଚ୍‌ରେ ସେପରି ଖରାପ ପ୍ରଦର୍ଶନ ନ କଲେ ଓଡ଼ିଶାକୁ କ୍ବାର୍ଟରଫାଇନାଲରେ ପହଞ୍ଚିବାରୁ ରୋକିବା କଷ୍ଟକର ହେବ। ଘରୋଇ ପଡ଼ିଆରେ ପଡ଼ୋଶୀ ଝାଡ଼ଖଣ୍ଡ ବିପକ୍ଷରେ ୯ମ ତଥା ଅନ୍ତିମ ମ୍ୟାଚ୍ ଖେଳିବା ପୂର୍ବରୁ ୮ମ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ପୁଣେରେ ପହଞ୍ଚିଛି ଓଡ଼ିଶା ଦଳ। ମଙ୍ଗଳବାରଠାରୁ ଏଠାରେ ଘରୋଇ ମହାରାଷ୍ଟ୍ର ବିପକ୍ଷରେ ଓଡ଼ିଶା ଖେଳିବ।

ଅଦ୍ୟାବଧି ପ୍ରଦର୍ଶନ ଦେଖିଲେ ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ବହୁତ ଆଗରେ ରହିଛି। ଓଡ଼ିଶା ୭ଟି ମ୍ୟାଚ୍‌ରୁ ୫ଟି ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ଓ ଡ୍ର ସହ ୩୫ ପଏଣ୍ଟ ପାଇଛି। ମହାରାଷ୍ଟ୍ର ୭ଟି ମ୍ୟାଚ୍‌ରୁ ୩ଟି ଲେଖାଏଁ ବିଜୟ ଓ ପରାଜୟ ଏବଂ ଗୋଟିଏ ଡ୍ର ସହ ୨୧ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଛି। ତଥାପି ଘରୋଇମାଟିରେ ଏହା ଓଡ଼ିଶାକୁ କଡ଼ା ଟକ୍କର ଦେବାର ପ୍ରୟାସ କରିବ। ମହାରାଷ୍ଟ୍ର ତା’ର ପ୍ରଥମ ୪ଟି ମ୍ୟାଚ୍‌ରୁ ୩ଟିରେ ପରାଜୟ ବରଣ କରିଥିଲା। ହରିୟାଣା, ଜାମ୍ମୁ-କାଶ୍ମୀର ଓ ସର୍ଭିସେସ୍‌ଠାରୁ ଏହା ପରାସ୍ତ ହୋଇଥିବା ବେ​‌େ​‌ଳ ଛତିଶଗଡ଼ ସହ ମ୍ୟାଚ୍ ଡ୍ର ରଖିଥିଲା। ପରେ ୩ ପୂର୍ବାଞ୍ଚଳ ଦଳ ଝାଡ଼ଖଣ୍ଡ, ଆସାମ ଓ ତ୍ରିପୁରା ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ମହାରାଷ୍ଟ୍ର। ଏବେ ସମ୍ମୁଖରେ ପୂର୍ବାଞ୍ଚଳର ଅନ୍ୟତମ ଦଳ ଓଡ଼ିଶା। କ୍ରମାଗତ ୩ଟି ମ୍ୟାଚ୍ ଜିତିଥିବାରୁ ମହାରାଷ୍ଟ୍ରର ମନୋବଳ ଶୀର୍ଷରେ ଥିବ। ଅନ୍ୟପକ୍ଷରେ ଶେଷ ମ୍ୟାଚ୍‌ରେ ଆସାମ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିବାରୁ ଓଡ଼ିଶା ମଧ୍ୟ ଦୃଢ଼ ମନୋବଳ ସହ ମ୍ୟାଚ୍‌ରେ ଓହ୍ଲାଇବ। ମହାରାଷ୍ଟ୍ରକୁ ଚଳିତ ସିଜିନ୍‌ରେ ହତାଶ କରିଛନ୍ତି ଏହାର ବ୍ୟାଟ୍‌ସମ୍ୟାନ୍। ନିକଟରେ ଭାରତ ‘ଏ’ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍‌ୱାଡ ଓ ଅଙ୍କିତ ବାୱାନେ ଆଶା ଅନୁସାରେ ରନ୍ କରି ପାରିନାହାନ୍ତି। ଅବଶ୍ୟ ବାୱାନେ ୩୫୧ ଓ ଋତୁରାଜ ୨୮୩ ରନ୍ କରିଛନ୍ତି। ବିଶାନ୍ତ ମୋରେ ଦଳ ପାଇଁ ସର୍ବାଧିକ ୩୫୭ ରନ୍ କରିଛନ୍ତି। ଅନ୍ୟ ବ୍ୟାଟ୍‌ସମ୍ୟାନ୍ କିଛି ରନ୍ କରିଛନ୍ତି। ଅଜିମ୍ କାଜି ଓ ଗୁଗାଲେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି। ତେଣୁ ବ୍ୟାଟିଂରେ ଓଡ଼ିଶାଠାରୁ ଆଗରେ ରହିଛି ମହାରାଷ୍ଟ୍ର। ତେବେ ବୋଲିଂ ବିଭାଗରେ ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ଆଗରେ ରହିଛି। ବାମହାତି ସ୍ପିନର ସତ୍ୟଜିତ ବଚ୍ଛବ ୨୫ଟି ଓ ବାମହାତି ପେସ୍ ବୋଲର ମହେଶ ଚୌଧୁରୀ ୨୧ଟି ୱିକେଟ ନେଇଥିବା ବେଳେ ଅନ୍ୟମାନେ ସେପରି ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି।
ଓଡ଼ିଶା ପ୍ରଥମ ୪ଟି ମ୍ୟାଚ୍‍ରେ ୪ ଦୁର୍ବଳ ଦଳଙ୍କୁ ଭେଟିଥିଲା। ସେଥିରୁ ପ୍ରଥମ ୩ଟି ମ୍ୟାଚ୍‍ରେ ଛତିଶଗଡ଼, ସର୍ଭିସେସ୍‍ ଓ ଉତ୍ତରାଖଣ୍ଡ ବିପକ୍ଷରେ ଓଡ଼ିଶା ବୋନସ୍‍ ପଏଣ୍ଟ ସହ ବିଜୟ ହାସଲ କରିଥିଲା। ତେବେ ବର୍ଷା ଯୋଗୁଁ ତ୍ରିପୁରା ବିପକ୍ଷ ମ୍ୟାଚ୍‍ ଦୁଇଦିନିଆ ହୋଇ ଯାଇଥିଲେ ହେଁ ଦୟନୀୟ ବ୍ୟାଟିଂକରି ଏହି ମ୍ୟାଚ୍‍ରେ ଓଡ଼ିଶା ଫଲୋଅନ୍‍ ହୋଇଥିଲା ଏବଂ ୧ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲା। ରୋହ୍‍ତକରେ ହରିୟାଣା ବିପକ୍ଷରେ ଗୋଟିଏ ୱିକେଟ ବାକିଥାଇ ଓଡ଼ିଶା ଜିତି ପାରିଥିଲା। ପରେ ଜାମ୍ମୁକାଶ୍ମୀରଠାରୁ ଓଡ଼ିଶାକୁ ଝଟ୍‌କା ମିଳିଥିଲା। ଅପ୍ରତ୍ୟାଶିତ ଭାବେ ଘରୋଇ ଓଡ଼ିଶାକୁ ଜାମ୍ମୁକାଶ୍ମୀର ପରାସ୍ତ କରିଥିଲା। ଓଡ଼ିଶାର ଶାନ୍ତନୁ ମିଶ୍ର ଓ ବିପ୍ଳବ ସାମନ୍ତରାୟଙ୍କୁ ଛାଡ଼ି କେହି ୩ ଶହ ରନ୍‌ରେ ପହଞ୍ଚି ପାରିନାହାନ୍ତି। ଶାନ୍ତନୁ ମିଶ୍ର ଓ ଦେବାଶିଷ ସାମନ୍ତରାୟଙ୍କୁ ଛାଡ଼ି କେହି ଶତକ ବି ମାରିନାହାନ୍ତି। ତେଣୁ ଓଡ଼ିଶାକୁ ବ୍ୟାଟିଂରେ ଉନ୍ନତି କରିବାକୁ ପଡ଼ିବ। ତେବେ ଓଡ଼ିଶାର ୪ ପେସ୍ ବୋଲର ଚମତ୍କାର ବୋଲିଂ କରିଛନ୍ତି। ରାଜେଶ ମହାନ୍ତି ୩୧, ସୂର୍ଯ୍ୟକାନ୍ତ ପ୍ରଧାନ ୩୦, ବସନ୍ତ ମହାନ୍ତି ୨୭ଟି ୱିକେଟ ନେଇଥିବା ବେଳେ ୪ଟି ମ୍ୟାଚ୍ ଖେଳିଥିବା ଦେବବ୍ରତ ପ୍ରଧାନ ୧୯ଟି ୱିକେଟ ନେଇଛନ୍ତି। ପୁଣେର ପିଚ୍‌ ୩ୟ/୪ର୍ଥ ଦିନ ସ୍ପିନ୍‌କୁ ସୁହାଇବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଓଡ଼ିଶା ଉପରୋକ୍ତ ୪ ପେସ୍ ବୋଲରଙ୍କ ମଧ୍ୟରୁ ଜଣାକୁ ବସାଇ କିମ୍ବା ଅଭିଷେକ ରାଉତଙ୍କୁ ବସାଇ ସ୍ପିନର ପପ୍ପୁ ରାୟଙ୍କୁ ଖେଳାଇବ; ତାହା ଦେଖିବାକୁ ବାକିରହିଛି। ଏମିତି ବି ହୋଇପାରେ ଯେ ଅପରିବର୍ତ୍ତିତ ଏକାଦଶ ନେଇ ଓଡ଼ିଶା ଏହି ମ୍ୟାଚ୍‌ରେ ଓହ୍ଲାଇପାରେ।

Comments are closed.