କ୍ରିକେଟ୍‍ ଖେଳିବାକୁ ଆସିଛୁ; ମଜା କରିବାକୁ ନୁହେଁ: କୋହଲି

ଦୁବାଇ: ସାରାବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ସମୟରେ ଆଇପିଏଲ୍‍ରେ କ୍ରିକେଟ୍‍ ଖେଳିବାର ସୁଯୋଗ ମିଳିବା ସମସ୍ତ ଖେଳାଳିଙ୍କ ପାଇଁ ବହୁତ ବଡ଼ ସୁଯୋଗ ଓ ଆଶୀର୍ବାଦ ପରି। ତେଣୁ ୟୁଏଇକୁ ଆଇପିଏଲ୍‍ ଖେଳିବାକୁ ଆସିଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍‍ ଓ କର୍ମକର୍ତ୍ତା ସେମାନଙ୍କ ଫ୍ରାଞ୍ଚାଇଜିର ଜୈବ ନିରାପତ୍ତା ପରିଧିକୁ ସମ୍ମାନ କରିବା ଉଚିତ। କାରଣ ଆମେ ଏଠାକୁ କ୍ରିକେଟ୍‍ ଖେଳିବାକୁ ଆସିଛୁ; ମଜା କରିବାକୁ ନୁହେଁ। ଏହା କହିଛନ୍ତି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି।

ଆର୍‍ସିବିର ଏକ ୟୁଟ୍ୟୁବ୍‍ କାର୍ଯ୍ୟକ୍ରମରେ ଭାଗନେଇ ୩୧ ବର୍ଷ ବୟସ୍କ ବିରାଟ କୋହଲି କହିଥିଲେ ଯେ ସାରାଦେଶରେ କରୋନା ସଂକମଣ ଯୋଗୁଁ ଗତ ୫ ମାସ ହେଲା ସେ ତାଙ୍କ ଘରେ ରହିଥିଲେ। ତଥାପି ଏହି ସମୟରେ ସେ କ୍ରିକେଟ୍‍କୁ ମିସ୍‍ କରିବା ଭଳି ଅନୁଭବ କରିନଥିଲେ। କାରଣ ଗତ ୧୦ ବର୍ଷ ହେଲା ନିୟମିତ କ୍ରିକେଟ୍‍ ଖେଳିଆସୁଛି। ତେଣୁ ମୋର ମନ କ୍ରିକେଟ୍‍ରେ ରହିଥିଲା। ମ୍ୟାଚ୍‍ ଖେଳୁନଥିଲେ ମଧ୍ୟ କ୍ରିକେଟ୍‍ ଉପରେ ମୋର ଧ୍ୟାନ ରହିଥିଲା। ଗତ କିଛିଦିନ ହେଲା ଆର୍‍ସିବି ଦଳ ସହ ୟୁଏଇରେ ଅଭ୍ୟାସ କରିଛନ୍ତି ବିରାଟ କୋହଲି। କିଛି ଉତ୍ସାହୀ ଯୁବ କ୍ରିକେଟର ଓ ଏବି ଡି’ଭିଲିଅର୍ସଙ୍କ ପରି ମହାରଥୀଙ୍କ ଉପସ୍ଥିତି କୋହଲିଙ୍କୁ ଉତ୍ସାହିତ କରିଛି। ସେପ୍ଟେମ୍ବର ୧୯ରୁ ଆଇପିଏଲ୍‍ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍‍ ପାଇଁ ବିସିସିଆଇ ଦେଇଥିବା ଆଦର୍ଶ କାର୍ଯ୍ୟ ପ୍ରଣାଳୀ (ଏସ୍‍ଓପି) ଓ ଜୈବ ନିରାପତ୍ତା କଟକଣାକୁ ସମସ୍ତେ ମାନିବା ଉଚିତ। କୌଣସିମତେ ଏଥିରେ ବୁଝାମଣା ହେବା ଠିକ୍‍ ହେବନାହିଁ ବୋଲି କୋହଲି ମନେକରନ୍ତି। ବିରାଟ କୋହଲିଙ୍କ ଭାଷାରେ, କ୍ରିକେଟ୍‍ ଖେଳିବା ପାଇଁ ଆମେ ଏଠାରେ ଏକତ୍ର ହୋଇଛୁ। ଏହି ଟୁର୍ଣ୍ଣାମେଣ୍ଟ ସୁରୁଖୁରୁରେ ସମ୍ପନ୍ନ ହେବା ଲାଗି ବିସିସିଆଇ ଦେଇଥିବା ଜୈବ ନିରାପତ୍ତା କଟକଣାକୁ ସର୍ବଦା ସମ୍ମାନ କରିବା ଉଚିତ। ଆମେ ଏଠାରେ ମଜାକରିବା କିମ୍ବା ବୁଲାବୁଲି କରିବାକୁ ଆସିନାହୁଁ। ‘ମୁଁ ଦୁବାଇରେ କିଛିଦିନ ବୁଲାବୁଲି କରିବାକୁ ଆସିଛି’ ବୋଲି ଧାରଣା ତୁମ ମନକୁ ଯେପରି ନ ଆସୁ। ବର୍ତ୍ତମାନ ସେପରି ସମୟ ନୁହେଁ। ଆମେ ଯେପରି ସମୟ ଦେଇ ଗତିକରୁଛୁ; ତାହାକୁ ଗ୍ରହଣକର। ଆଇପିଏଲ୍‍ରେ ଅଂଶଗ୍ରହଣ କରିବା ଆମ ପାଇଁ ଏକ ବଡ଼ ସୁବିଧା ସୁଯୋଗ। ସମସ୍ତଙ୍କୁ ଏହା ଗ୍ରହଣ କରିବା ଉଚିତ୍‍ ଏବଂ ଏପରି ପରିସ୍ଥିତିରେ ଯାହା କରିବା ଉଚିତ; ତାହା କରିବା କଥା। ୨ ମାସ ତଳେ ଆମେ କେହି ଭାବିନଥିଲୁ ଯେ ଆମକୁ ଆଇପିଏଲ୍‍ ଖେଳିବାର ସୁଯୋଗ ମିଳିବ। ରବିବାର ପ୍ରଥମଥର ଅଭ୍ୟାସ କରିବାକୁ ଗଲା ବେଳେ ମୋର ମନେହେଲା ଯେପରି ବହୁତ ବର୍ଷ ପରେ କ୍ରିକେଟ୍‍ ଖେଳିବାକୁ ଯାଉଛି। ମୁଁ ନର୍ଭସ ମଧ୍ୟ ହୋଇ ଯାଇଥିଲି। ବିନା ଦର୍ଶକରେ ଆଇପିଏଲ୍‍ ଖେଳିବା ଆରମ୍ଭରୁ ଆମକୁ ଅସୁବିଧା ଲାଗିପାରେ। ହେଲେ ବିନା ଦର୍ଶକରେ ଆମେ ରଣଜୀ ଟ୍ରଫି ମଧ୍ୟ ଖେଳିଛୁ। ଶେଷରେ କୋହଲି କହିଛନ୍ତି ଯେ ଜାନୁୟାରୀରେ ସେ ପିତା ହେବାକୁ ଯାଉଛନ୍ତି ବୋଲି ଜାଣିବା ପରେ ସେ ଖୁସିରେ ପାଗଳ ହୋଇ ଯାଇଛନ୍ତି।

Comments are closed.