ଟେଷ୍ଟ ବ୍ୟାଟସମ୍ୟାନ୍‌ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ରାହାଣେ ଓ ପୂଜାରା ଖସିଲେ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ତରଫରୁ ବୁଧବାର ପ୍ରକାଶିତ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିବା ଜଣାପଡ଼ିଛି। କୋହଲି ୯୨୮ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ୭୯୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଅଜିଙ୍କ୍ୟ ରାହାଣେ ୨ଟି ସ୍ଥାନ ତଳକୁ ଖସି ୭୫୯ ପଏଣ୍ଟ ସହ ୯ମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୭୭୨ ପଏଣ୍ଟ ସହ ୯ମ ଓ ଦ୍ରୁତ ବୋଲର ମହମ୍ମଦ ସାମି ୭୭୧ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି।

ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସାନ୍‌ ୩ୟ ସ୍ଥାନରେ ରହିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ୨୫ ବର୍ଷୀୟ ଲାବୁସାନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଯଥାକ୍ରମେ ୨୧୫ ଓ ୫୯ ରନ୍‌ ସଂଗ୍ରହ କରିଥିଲେ। ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍‌ କମିନ୍୍‌ସ ୯୦୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ନିଲ ୱାଗନର୍ ୮୫୨ ପଏଣ୍ଟ ସହ ଦ୍ବିତୀୟ ଏବଂ ୱେଷ୍ଟଇଣ୍ଡିଜର ଜାସନ ହୋଲଡର ୮୩୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କାଗି​‌େ​‌ସା ରାବାଡା ୪ର୍ଥ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଅନ୍ୟତମ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ୫ମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ସ୍ପିନର୍‌ ନାଥାନ୍‌ ଲାୟନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୦ଟି ୱିକେଟ୍ ହାସଲ କରିଥିବାରୁ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କ ସହ ମିଳିତ ଭାବେ ୧୪ନଂରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କଲିନ୍‌ ଡି’ ଗ୍ରାଣ୍ଡହୋମ୍‌ ବ୍ୟାଟିଂ ମାନ୍ୟତାରେ ୪୭ନଂରୁ ଉପରକୁ ଉଠି ୩୬ ଓ ବୋଲିଂ ମାନ୍ୟତାରେ ୩୬ନଂରୁ ଉଠି ୩୪ନଂରେ ରହିଛନ୍ତି। ସେହିପରି ମ୍ୟାଟ୍‌ ହେନେରି ବୋଲିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୬୬ନଂରେ ରହିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ବ୍ୟାଟିଂ ମାନ୍ୟତାରେ ୧୫ନଂ ସ୍ଥାନରୁ ଉଠି ୧୦ନଂରେ ରହିଥିବା ବେଳେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ୭ନଂରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକାର ଓପନର୍ ଡିନ୍‌ ଏଲଗର୍‌ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୧୯ ଓ ଆଇଡେନ୍ ମାର୍କରାମ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୨୨ନଂରେ ରହିଥିବା ଜଣାପଡ଼ିଛି।

Comments are closed.