ବିଶ୍ବବ୍ୟାପୀ ହେବ କୋ-ୱିନ ପୋର୍ଟାଲ : ଜ୍ଞାନକୌଶଳ ନେବାକୁ ୧୨ଟି ରାଷ୍ଟ୍ରର ବୁଝାମଣା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ କୋ-ୱିନ ପୋର୍ଟାଲ ଏବେ ବିଶ୍ବବ୍ୟାପୀ ହେବାକୁ ଯାଉଛି। ଏହି ପୋର୍ଟାଲା ଜ୍ଞାନକୌଶଳକୁ ନେବା ଲାଗି ୧୨ ରାଷ୍ଟ୍ର ଭାରତ ସରକାରଙ୍କ ସହିତ ବୁଝାମଣା କରିଛନ୍ତି। ବୁଝାମଣା କରିଥିବା ରାଷ୍ଟ୍ରଗୁଡିକ ହେଲା ଆର୍ଜେଣ୍ଟିନା, ବୋଲଭିଆ, ବ୍ରାଜିଲ, ଚିଲି, କଲମ୍ବିଆ, ଇ‌େ‌କ୍ବଡର, ଗୁଏନା, ପାରାଗୁଏ, ପେରୁ, ସୁରିନେମ, ଉରୁଗୁଏ ଓ ଭେନଜୁଏଲା। ଭାରତରେ କରୋନା ଟିକାକରଣ ଅଭିଯାନରେ କୋ-ୱିନ ପୋର୍ଟାଲ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହାଦ୍ବାରା ଟିକାକରଣ ପ୍ରକ୍ରିୟା ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ହୋଇପାରିଛି। ଏହି ପୋର୍ଟାଲ ଦ୍ବାରା କେଉଁ ସମୟରେ କେତେ ଜଣ ଓ କେଉଁ ଠାରେ ଟିକା ନେଲେ ତାହା ଜଣାଯାଇପାରୁଛି। ଏପରିକି ଏହି ପୋର୍ଟାଲ ପ୍ରତି ସେକେଣ୍ଡରେ ୧୦୦ ପାନ ଟିକାକୁ ଟ୍ରାକ୍ କରିପାରୁଛି। ଗୋଟିଏ ଦିନରେ ଏହା ୨.୫କୋଟି ଟିକାକୁ ଟ୍ରାକ୍ କରିପାରିଛି। ଯାହା ସେକେଣ୍ଡ ପ୍ରତି ୮୦୦ରୁ ଅଧିକ ପାନ ଟିକା। ସୋମବାର ସମଗ୍ର ଦେଶରେ ୧୦,୨୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୪୭,୫୩୬ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪,୬୩,୬୫୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୧,୯୨୬ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩,୩୮,୪୯,୭୫୮ ଜଣ ସୁସ୍ଥ ହୋଇଛନ୍ତି।

୯୯ଟି ଦେଶର ଯାତ୍ରୀଙ୍କୁ ସଙ୍ଗରୋଧ ମୁକ୍ତ ଯାତ୍ରା ଅନୁମତି
ବିଶ୍ବର ୯୯ଟି ରାଷ୍ଟ୍ରର ଯାତ୍ରୀଙ୍କୁ ଭାରତ କରୋନା କଟକଣା ମୁକ୍ତ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି। ଅନୁମୋଦିତ କରୋନା ଟିକାର ସମ୍ପୂର୍ଣ୍ଣ ପାନ ନେଇଥିବା ଏହି ୯୯ଟି ଦେଶର ଯାତ୍ରୀଙ୍କ ଭାରତ ଆଗମନ କ୍ଷେତ୍ରରେ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ। ଏହି ଦେଶର ଯାତ୍ରୀମାନଙ୍କୁ ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରୋନା ନେଗେଟିଭ୍ ରିପୋର୍ଟ ଏବଂ ଟିକା ପ୍ରମାଣପତ୍ରକୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ଅନୁମୋଦିତ ଟିକା ଆଧାରରେ ଭାରତ ସରକାର ବିଭିନ୍ନ ରାଷ୍ଟ୍ର ସହିତ ଯାତ୍ରା ବୁଝାମଣା କରିଛନ୍ତି। ଅକ୍ଟୋବର ୧୫ ତାରିଖ ଠାରୁ କେନ୍ଦ୍ର ସରକାର ପର୍ଯ୍ୟଟନ ଭିସା ଅନୁମୋଦନ କରିବା ଆରମ୍ଭ କରିଥିବାବେଳେ ବିଦେଶୀ ଯାତ୍ରୀଙ୍କ କ୍ଷେତ୍ରରେ କଟକଣା ହଟାଇଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରୁ ପର୍ଯ୍ୟଟନ ଭିସା ବନ୍ଦ ରହିଥିଲା।

Comments are closed.