ଭାରତର ଅନୁରୋଧ ରଖିଲା ୟୁରୋପୀୟ ସଂଘ, କୋଭିସିଲ୍ଡକୁ ଅନୁମତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅନୁରୋଧ ରକ୍ଷା ପୂର୍ବକ ୯ଟି ୟୁରୋପୀୟ ରାଷ୍ଟ୍ର କୋଭିସିଲ୍ଡ ଟିକାକୁ ଅନୁମୋଦନ କରିଛନ୍ତି। ଏହି ୟୁରୋପୀୟ ରାଷ୍ଟ୍ର ମଧ୍ୟରୁ ୭ଟି ୟୁରୋପୀୟ ସଂଘ (ଇୟୁ)ର ସଦସ୍ୟ ରାଷ୍ଟ୍ର। ଏହି ରାଷ୍ଟ୍ରଗୁଡିକ ହେଲା ଜର୍ମାନୀ, ସ୍ଲୋଭାନିଆ, ଅଷ୍ଟ୍ରିଆ, ଗ୍ରୀସ୍, ଆୟରଲ୍ୟାଣ୍ଡ, ଇଷ୍ଟୋନିଆ ଓ ସ୍ପେନ। ଏହା ବ୍ୟତୀତ ଆଇସଲ୍ୟାଣ୍ଡ ଓ ସୁଇଜରଲ୍ୟାଣ୍ଡ ସରକାର ମଧ୍ୟ କୋଭିସିଲ୍ଡ ଟିକାକୁ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ ଦ୍ବାରା ଯେଉଁ ଭାରତୀୟମାନେ ସିରମ୍ ଇନଷ୍ଟିଚ୍ୟୁଟ୍ ତିଆରି କରୋନାର କୋଭିସିଲ୍ଡ ଟିକା ନେଇଥିବେ​‌ ସେମାନେ ଉକ୍ତ ୟୁରୋପୀୟ ରାଷ୍ଟ୍ରକୁ ଗସ୍ତ ଲାଗି ଭିସା ପାଇପାରିବେ। ୟୁରୋପୀୟ ମେଡିସିନ୍ ଏଜେନ୍ସି (ଇଏମ୍‌ଏ) କୋଭିସିଲ୍ଡ ଟିକାକୁ ଅନୁମୋଦନ କରି ନଥିବାରୁ ଇୟୁ ସଦସ୍ୟ ରାଷ୍ଟ୍ରଗୁଡିକ ଏହି ଟିକାଧାରୀଙ୍କୁ ଭିସା ଦେବାକୁ ମନା କରିଥିଲା। ତେବେ ଭାରତ ସରକାର କୋଭିସିଲ୍ଡ ଟିକାଧାରୀଙ୍କୁ ଭିସା ଅନୁମତି ଦେବା ଲାଗି ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲା।

ଭାରତର ଅନୁରୋଧ ଆଧାରରେ ଉପରୋକ୍ତ ରାଷ୍ଟ୍ରଗୁଡିକ ଏହି ଟିକାକୁ ଅନୁମୋଦନ କରିଛନ୍ତି। ଇୟୁର ନିଷ୍ପତ୍ତି ବ୍ୟତୀତ ପ୍ରତି ସଦସ୍ୟ ରାଷ୍ଟ୍ରଙ୍କର ସ୍ବତନ୍ତ୍ର ନିଷ୍ପତ୍ତି ନେବାର କ୍ଷମତା ରହିଛି। ଇଏମ୍ଏ କରୋନାର ୪ଟି ଟିକାକୁ ଅନୁମୋଦନ କରିଛି। ଏହି ଟିକାଗୁଡିକ ହେଲା ଫାଇଜର, ମଡେର୍ଣ୍ଣା, ଆଷ୍ଟ୍ରାଜେନିକା ଓ ଜନ୍‌ସନ ଆଣ୍ଡ ଜନସନ୍‌। ଆଷ୍ଟ୍ରାଜେନିକା କମ୍ପାନୀର ବିକଶିତ କରୋନା ଟିକା ଭ୍ୟାକ୍ସେଭେରିଆକୁ ୟୁରୋପୀୟ ସଂଘ ଅନୁମୋଦନ କରିଥିବା ବେଳେ କୋଭିସିଲ୍ଡକୁ ଅନୁମୋଦନ କରି ନାହିଁ। କୋଭିସିଲ୍ଡ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଅନୁମୋଦନ କରିଛି। ହୁ’ର ଅନୁମୋଦନ ସତ୍ତ୍ବେ ଏହି ଟିକାକୁ ଇଏମ୍‌ଏ ଅନୁମୋଦନ କରି ନାହିଁ। ଏପରି ଟିକାଗ୍ରହୀତାଙ୍କୁ ୟୁରୋପୀୟ ସଂଘ ଏହାର ‘ଗ୍ରୀନ୍ ପାସ୍‌’ ଯୋଗ୍ୟତା ତାଲିକାରେ ସାମିଲ କରି ନାହିଁ। ଗ୍ରୀନ୍ ପାସ୍ ଯୋଗ୍ୟତା ତାଲିକାରେ ସ୍ଥାନିତ ନ ହେବା ଦ୍ବାରା ଏହି ଟିକା ନେଇଥିବା ବ୍ୟକ୍ତିମାନେ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡିକର ଭିସା ପାଇପାରିବେ ନାହିଁ। ଇୟୁ ସଦସ୍ୟ ରାଷ୍ଟ୍ରଗୁଡିକ ଜୁଲାଇ ୧ ତାରିଖରୁ ଗ୍ରୀନ୍ ପାସ୍ ବା ‘ଟିକା ଭିସା’ ପ୍ରଦାନ କରୁଛନ୍ତି। ଏହି ଭିସା ଦ୍ବାରା ସମ୍ପୃକ୍ତ ବ୍ୟକ୍ତି କୌଣସି କାମ ଧନ୍ଦା ଓ ପର୍ଯ୍ୟଟନ ଲାଗି ଇୟୁ ସଦସ୍ୟ ରାଷ୍ଟ୍ରଗୁଡିକରେ ଅବାଧ ଯାତାୟାତ କରିପାରିବେ। ବିଦେଶୀଙ୍କ ଲାଗି ଏହି ଟିକା ଭିସା ଏକ ପ୍ରମାଣପତ୍ର ଭାବେ ବ୍ୟବହାର ହେବ।

Comments are closed.