ଦୁଇ ସପ୍ତାହରେ ୫୭୭ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ମାର୍ଚ୍ଚ ୧ତାରିଖରୁ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା ପ୍ରଦାନ ଆରମ୍ଭ କରାଯାଇଥିବାବେଳେ ୨ ସପ୍ତାହ ମଧ୍ୟରେ ୫୭୭ଜଣ ଏହି ଟୀକା ନେଇଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଆଜି ଶୁକ୍ରବାର ୧୦୭ଜଣ ବରିଷ୍ଠ ନାଗରିକ କୋଭିସିଲ୍ଡ ଟୀକା ନେଇଥିବାବେଳେ ଗତ ସୋମବାର ୧୦୭ ଏବଂ ମଙ୍ଗଳବାର ୮୩ଜଣ ଟିକା ନେଇଥିଲେ। ସେହିପରି ଗତ ସପ୍ତାହର ସୋମବାର ୫୬, ମଙ୍ଗଳବାର ୬୬ ଓ ଶୁକ୍ରବାର ୧୫୮ଜଣ ଟିକା ନେଇଥିବା ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତ ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ୫୭୭ଜଣ ୬୦ବର୍ଷରୁ ଉର୍ଦ୍ଧ ବୟସ୍କ ବରିଷ୍ଠ ନାଗରିକ ଟୀକା ନେବା ପରେ ସେମାନଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିବା ଜଣାପଡିଛି। ୪୫-୫୯ବର୍ଷ ବୟସ୍କ ଲୋକମାନେ କୌଣସି ରୋଗରେ ପୀଡିତ ଥିଲେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ଉପଯୁକ୍ତ ପ୍ରମାଣପତ୍ର ଆଣି ଆସିଲେ ସେମାନଙ୍କୁ ମଧ୍ୟ ଏହି କୋଭିଡ ଟିକା ଦିଆଯାଇପାରିବ ବୋଲି ଡାକ୍ତରଖାନା ଅଧିକ୍ଷକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଆଠଗଡ ଡାକ୍ତରଖାନାର ପ୍ରତି ସପ୍ତାହର ସୋମବାର, ମଙ୍ଗଳବାର ଓ ଶୁକ୍ରବାର ବରିଷ୍ଠ ନାଗରିକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Comments are closed.