ବଲାଙ୍ଗିରରେ କୋଭିଡ ଟିକାକରଣ ; ଇନଚାର୍ଜଙ୍କଠାରୁ ଆରମ୍ଭ

ବଲାଙ୍ଗିର : ସାରା ଭାରତରେ ଆଜି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ବଲାଙ୍ଗିର ଜିଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ। ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ କୋଭିସିଲ୍ଡ ଟିକା ନେଇଛନ୍ତି କୋଭିଡ ଇନଚାର୍ଜ ଡା.ଗିରିଜାଶଙ୍କର ଉଦାଗାତା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ଏସ୍ପି କୁଶଲକର ନୀତିନ, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍ଓ ଡା.ଭୀମ ସାହୁ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ଆସିଥିବା ରାଜ୍ୟ ପର୍ଯ୍ୟବେକ୍ଷକ ଡା.ଲୋକନାଥ ପାତ୍ର, ଅଶୋକ ସାମଲ, ଡିଆଇପିଆର୍ଓ ଜୟଦେବ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସିଥିବା କୋଭିଡ ଟିକା କୋଭିସିଲ୍ଡର ଗୋଟିଏ ଭାଇଲ୍ରୁ ୧୦ଜଣଙ୍କୁ ଟିକା ଦିଆଯାଇପାରିବ। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡିବ ବୋଲି କୁହାଯାଇଛି। ତେବେ କୋଭିଡ ଟିକା ନେଇଥିବା ଡା.ଉଦ୍ଗାତା ଖୁସି ପ୍ରକାଶ କରିବା ସହ ଲୋକଙ୍କ ପାଇଁ ଏହା ଭୟ ଦୂର କରିବାର ମାଧ୍ୟମ ହେବ କହିଛନ୍ତି।