କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ୫ଟି ପୌରାଞ୍ଚଳରେ ହେବ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରାଜ୍ୟର ୫ଟି ପୌରାଞ୍ଚଳରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ କେବଳ ୫ଟି ମହାନଗର ନିଗମରେ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବୟସର ବ୍ୟକ୍ତିଙ୍କୁ ଏବେ ରାଜଧାନୀ ଭୁବନେଶ୍ୱରରେ ଟିକା ଦିଆଯାଉଛି ଓ ଅନ୍ୟ ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାର ତୁରନ୍ତ ଆରମ୍ଭ କରିବାକୁ ଯାଉଛନ୍ତି।


ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ୫ଟି ମହାନଗର ନିଗମର କମିଶନର ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ ଟିକା କମ୍‌ ଥିବାରୁ ୫ଟି ପୌରାଞ୍ଚଳରେ ହେବ ଟିକାକରଣ ଆରମ୍ଭ କରାଯିବ। କାରଣ ଏସବୁ ପୌରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ପୌରାଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ଚିଠିରେ ଟିକାକରଣ ସୂଚୀ ମଧ୍ୟ ଉଲ୍ଲେଖ କରାଯାଇଛି। ସରକାରୀ ଟିକା କେନ୍ଦ୍ରରେ ୧୮ରୁ ୪୪ବର୍ଷୀୟଙ୍କୁ ଟିକା ଦେବାକୁ ନିର୍ଦେଶ ରହିଛି। ୧୮ରୁ ୪୪ବର୍ଷୀୟଙ୍କ ଲାଗି ଟିକାଦାନ ସମୟ ସକାଳ ୮ଟାରୁ ଦିନ ୧ଟା ହୋଇଥିବାବେଳେ ୪୫ବର୍ଷ ଉପର ବୟସ୍କଙ୍କୁ ଟିକାଦାନ ସମୟ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ଅନ୍ୟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ଥିବାବେଳେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଟିକା ଉତ୍ପାଦନକାରୀ କମ୍ପାନୀ ଏବେ କମ୍ ପରିମାଣରେ ଟିକା ଯୋଗାଣ କରୁଛି। ଟିକା ଆମଦାନୀ ପରିମାଣରେ ସୁଧାର ଆସିଲେ ଅନ୍ୟ ଜିଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବବୋଲି ସେ ପ୍ରକାଶ କରିଛନ୍ତି।

Comments are closed.