କରୋନା ହୋଇଥିଲେ କେବେ ନେବେ ଟିକା, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳୀ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ କେତେକ ପରିବର୍ତ୍ତିତ ନିଷ୍ପତ୍ତି ସମ୍ପର୍କରେ ଜାତୀୟ ଟିକା ପରିଚାଳନା ବିଶେଷଜ୍ଞ ଗୋଷ୍ଠୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରିଛି। ମନ୍ତ୍ରଣାଳୟ ମଧ୍ୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ପରିବର୍ତ୍ତିତ ନିଷ୍ପତ୍ତି ଅନୁଯାୟୀ କୌଣସି ବ୍ୟକ୍ତି କରୋନା ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ସୁସ୍ଥ ହେବାର ୩ ମାସ ପରେ କୋଭିଡ୍‍ ପ୍ରତିଷେଧକ ଟିକା ନେଇପାରିବେ। ସେହିପରି କୌଣସି କୋଭିଡ୍‍ ସଂକ୍ରମିତଙ୍କ ପ୍ଲାଜ୍‍ମା କିମ୍ବା ଆଣ୍ଟିବଡ଼ି ମାଧ୍ୟମରେ ଚିକିତ୍ସା କରାଯାଇଥିଲେ ସେ ମଧ୍ୟ ସୁସ୍ଥ ହେବାର ୩ ମାସ ପରେ ଟିକା ଗ୍ରହଣ କରିବେ।


ଯଦି କୌଣସି ବ୍ୟକ୍ତି ପ୍ରଥମ ଡୋଜ୍‍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇଥା’ନ୍ତି, ତେବେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍‍ ଟିକା ଗ୍ରହଣ କରିବେ। ଜଟିଳ ରୋଗରେ ପୀଡ଼ିତ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିମ୍ବା ଆଇ.ସି.ୟୁ. ଆବଶ୍ୟକ କରୁଥିଲେ ତାଙ୍କୁ ମଧ୍ୟ କୋଭିଡ୍‍ ଟିକା ନେବାପାଇଁ ୪ରୁ ୮ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟ କେତେକ ନିଷ୍ପତ୍ତି ଅନୁଯାୟୀ କୋଭିଡରେ ପୀଡ଼ିତ କୌଣସି ବ୍ୟକ୍ତି ଟିକା ନେବାର ୧୪ ଦିନ ପରେ କିମ୍ବା ପୁଣି ନେଗେଟିଭ୍‍ ରିପୋର୍ଟ ଆସିବା ପରେ ରକ୍ତଦାନ କରିପାରିବେ। ଅନ୍ୟପକ୍ଷରେ ସ୍ତନ୍ୟପାନ କରାଉଥିବା ମା’ମାନେ ଟିକା ନେଇପାରିବେ। ଏହିସବୁ ନିଷ୍ପତ୍ତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦେବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ନିର୍ଦ୍ଦେଶ ଦେଇଛି।

Comments are closed.