ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ​‌ବୈଠକ

ଦୁଇଲକ୍ଷ ନିକଟତର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାବେଳେ ଦୈନିକ ସଂକ୍ରମଣ ୨ଲକ୍ଷ ନିକଟତର ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୧୧.୦୫% ରହିଛି । ଡିସେମ୍ବର ୩୦ରେ ଏହି ଦୈନିକ ସଂକ୍ରମଣ ହାର ୧.୧ % ଥିଲା। ଦେଶର ୩୦୦ ଜିଲାରେ ସଂକ୍ରମଣ ହାର ୫%ରୁ ଅଧିକ ରହିଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଓ ଗୁଜରାଟ ଏବେ ଦେଶର ସମ୍ବେଦନଶୀଳ ରାଜ୍ୟ ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ହାର ୨୨.୩୯% ରହିଥିବାବେଳେ ପଶ୍ଚିମବଙ୍ଗରେ ୩୨.୧୮%, ଦିଲ୍ଲୀରେ ୨୬.୨୨% ଓ ଉତ୍ତରପ୍ରଦେଶରେ ୪.୪୭% ରହିଛି। ଗତ ୨୪ଘଣ୍ଟାରେ ଦିଲ୍ଲୀରେ ରେକର୍ଡ ୨୭,୫୬୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୁମ୍ବଇରେ ୧୬,୪୨୦, ମହାରାଷ୍ଟ୍ରରେ ୪୬,୭୨୩, ପଶ୍ଚିମବଙ୍ଗରେ ୨୨,୧୫୫, କର୍ଣ୍ଣାଟକରେ ୨୧,୩୯୦ ଓ କେରଳରେ ୧୨,୭୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୁରୁବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକ କରିବେ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି ଯେ ବିଶ୍ବର ୧୫୯ଟି ରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ୮ଟି ୟୁରୋପୀୟ ରାଷ୍ଟ୍ରରେ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ଦୁଇଗୁଣା ହେଲାଣି। ଜାନୁଆରୀ ୧୦ରେ ବିଶ୍ବରେ ଗୋଟିଏ ଦିନରେ ୩୧.୫୯ଲକ୍ଷ ସଂକ୍ରମଣ ବୃଦ୍ଧି ପାଇଥିଲା। ଅଗ୍ରୱାଲ କହିଛନ୍ତି ଯେ କରୋନା ଟିକା ନେବା ଦ୍ବାରା ସଂକ୍ରମିତଙ୍କ ଡାକ୍ତରଖାନା ଯିବା ଆଶଙ୍କା ୯୦% କମ୍ ରହିଥାଏ। ଅନ୍ୟପଟେ ଦେଶରେ ଓମିକ୍ରନ୍‌ ଅାକ୍ରାନ୍ତଙ୍କ ସଂଖ୍ୟା ୪,୮୬୮ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୫ଜଣ ସୁସ୍ଥ ହୋଇଛନ୍ତି। ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣରେ ବିଶ୍ବରେ ୧୧୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତରେ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.