ଦୁଇ ହଜାରମୁହାଁ ଦୈନିକ ସଂକ୍ରମଣ ; ସତର୍କ ନ ହେଲେ ତାଲାବନ୍ଦ!

ସବୁ ଜିଲାକୁ ବ୍ୟାପିଲା ; ସଂକ୍ରମଣ ହାର ୨.୬୨%, ୧୦ରୁ ବୁଷ୍ଟର ପାନ, ଆଜିଠୁ ବିଦ୍ୟାଳୟ ବନ୍ଦ, ଅଙ୍ଗନବାଡି ଛୁଟି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପଧାରଣ କଲାଣି । ବୁଧବାର ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮୯୭ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୭୨ହଜାର ୩୭୦ ନମୁନା ପରୀକ୍ଷଣ ହୋଇଥିବାବେଳେ ସଂକ୍ରମଣ ହାର ଏବେ ୨.୬୨ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୭୩୯ରେ ପହଞ୍ଚିଲାଣି। ଆଜି ସଂକ୍ରମିତଙ୍କ ମଧ୍ୟରେ ୨୫୮ ଶିଶୁ ରହିଛନ୍ତି। ସଙ୍ଗରୋଧରୁ ୧୧୦୬ ଓ ସ୍ଥାନୀୟ ସଂକ୍ରମଣରୁ ୭୯୧ ଚିହ୍ନଟ ହୋଇଛନ୍ତି।
ଲୋକେ କିମ୍ବା ସରକାର ଚିନ୍ତା କରିବା ପୂର୍ବରୁ ସ୍ଥିତି ନେଡିଗୁଡ କହୁଣିକୁ ବୋହିଲା ଭଳି କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନାର ଗତି ଏତେ କ୍ଷୀପ୍ର ରହିଛି ଯେ ଗୋଟିଏ ସପ୍ତାହରେ ସରକାର ନିଷ୍ପତ୍ତି ନେଲା ବେଳକୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାଖାପାଖି ହେଲାଣି। ଏହି ସଂଖ୍ୟା ଆଗାମୀ ଦିନରେ ଢ଼େରଗୁଣରେ ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଛନ୍ତି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଗତକାଲି ରାତ୍ରିକାଳୀନ ନିଷେଧାଦେଶ ବଢାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ପ୍ରଦୀପ ଜେନା, ସିଧାସଳଖ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଏବେଠାରୁ ସଜାଗ ରୁହ, ନଚେତ୍ ପରିସ୍ଥିତି ବିଗିଡ଼ିବ ଏବଂ ସରକାର କଠୋର କଟକଣା ଗ୍ରହଣ କରିବାକୁ ବାଧ୍ୟ ହେବେ। ଅନ୍ୟପକ୍ଷରେ ଅଙ୍ଗନବାଡି କେନ୍ଦ୍ର ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସରକାରୀସ୍ତରରେ ବଡ଼ଧରଣର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତିିକ୍ରମେ ଜନସାଧାରଣଙ୍କୁ ଆୟତ୍ତ କରିବା ପାଇଁ ପୁଣିଥରେ ତାଲାବନ୍ଦ(ଲକ୍ ଡାଉନ୍) ପ୍ରକ୍ରିୟାକୁ ସରକାର ଯିବେ। ଆସନ୍ତାକାଲିର ସ୍ଥିତି ଦେଖିବା ପରେ ସରକାରଙ୍କ ପକ୍ଷରୁ ତାଲାବନ୍ଦ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସେହିଭଳି ରାଜ୍ୟରେ ବଢିବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରାୟ ସବୁ ଜିଲାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲାଣି। ଅନ୍ୟପକ୍ଷରେ ଆଇସିଏମଆର ତରଫରୁ ଓମିକ୍ରନ ଚିହ୍ନଟ ଲାଗି ନୂଆ କିଟ୍ ବ୍ୟବହାରକୁ ଅନୁମୋଦନ ଦେଇଛି। ଏହାରି ଭିତରେ ଏହି ନୂଆ କିଟ୍‌ ଆସିବା ପାଇଁ ପଦକ୍ଷେପ ନିଆଯାଇଛି। ଏହି କିଟରେ ସ୍ବଳ୍ପ ସମୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇପାରିବ।
ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ପକ୍ଷରୁ ଟିକାକରଣ ସହିତ ନିରୀକ୍ଷଣ ଜାରି ରହିଛି। ବର୍ତ୍ତମାନ ସ୍ଥିତିରେ ସ୍ବତନ୍ତ୍ର ଯତ୍ନ କେନ୍ଦ୍ର(ଆଇସିୟୁ) ପର୍ଯ୍ୟାପ୍ତ ସଂଖ୍ୟାରେ ରହିଛି। ଅନ୍ୟପକ୍ଷରେ ଏହି ସଂଖ୍ୟାକୁ ବୃଦ୍ଧି କରାଯିବ। ସେହିପରି ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ଅଧିକ ସଂକ୍ରମଣ ରହିଛି। ସେସବୁ ଜିଲା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଯେହେତୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି ତେଣୁ ସାଧାରଣ ଜନତା ସହଯୋଗ କରିବା ଆବଶ୍ୟକ।
ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତିଯେ ରାଜ୍ୟରେ କରୋନାର ଗତିକୁ ରୋକିବାପାଇଁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ଏବେ ପ୍ରାୟ ୭୦ପ୍ରତିଶତ ଲୋକେ ଟିକା ନେଇ ସାରିଲେଣି। ଅବଶିଷ୍ଟ ୨୦ପ୍ରତିଶତ ଲୋକେ ଏବେ ଗୋଟିଏ ପାନ ଭିତରେ ରହିଛନ୍ତି। ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତା ୧୦ ତାରିଖରୁ ବୁଷ୍ଟର ପାନ ଟିକା ଦିଆଯିବ। ବରି‌ଷ୍ଠ ବର୍ଗର ଯେଉଁମାନେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ଦୁଇପାନ ଟିକା ନେଇଛନ୍ତି ସେମାନଙ୍କୁ ଏବେ ଦିଆଯିବ। ନଚେତ୍ ଯେଉଁମାନଙ୍କର ଦ୍ବିତୀୟପାନ ଟିକା ନେବାର ୯ମାସ ପୂରି ଯାଇଥିବ ସେମାନଙ୍କୁ ଟିକା ଦେଇ ହେବ। କରୋନାର କ୍ଷୀପ୍ର ଗତି ଉପରେ ସରକାର ତୀକ୍ଷ୍ଣ ଦୃ‌ଷ୍ଟି ରଖିଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ହାର ବଢ଼ିବ ହେଲେ କରୋନା ଜନିତ ମୃତ୍ୟୁ ହାର ଆଗ ଅପେକ୍ଷା କମ୍ ରହିବ। ତେବେ ପରିସ୍ଥିତିକୁ ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବାକୁ ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି। ସରକାରଙ୍କ ପକ୍ଷରୁ ଶଯ୍ୟା, ଅମ୍ଳଜାନ ପ୍ରସ୍ତୁତ କରି ରଖାଯାଇଛି। ମାତ୍ର ଜନସାଧାରଣ ହେଉଛନ୍ତି ଏହାର ମୂଳ, ଯଦି ସେମାନେ ଏବେଠାରୁ ନ ଚେତିବେ ତେବେ ତାଲାବନ୍ଦ ନିଷ୍ପତ୍ତି ସରକାର ନେବେ ବୋଲି ଡା. ମହାପାତ୍ର ଚେତାଇ ଦେଇଛନ୍ତି।
ସେହିଭଳି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟ ଶୁକ୍ରବାର ଠାରୁ ବନ୍ଦ ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସମେତ କେନ୍ଦ୍ରୀୟ ପରିଷଦ(ସିବିଏସ୍‌ଇ ଓ ଆଇସିଏସ୍‌ଆଇ) ଦ୍ବାରା ପରିଚାଳିତ ସମସ୍ତ ବିଦ୍ୟାଳୟର ଶ୍ରେଣୀଗୃହ ଶିକ୍ଷାଦାନ ଆସନ୍ତାକାଲିଠାରୁ ବନ୍ଦ ରହିବ। ଷଷ୍ଠ ଶ୍ରେଣୀରୁ ଦ୍ବାଦଶ(+୨) ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢା ବନ୍ଦ ରହିବ। ଦଶମରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ଅନ୍‌ଲାଇନ୍‌(ସଞ୍ଚାର) ଜରିଆରେ ଶିକ୍ଷାଦାନ ଜାରି ରଖିବାକୁ ବିଭାଗ ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦେଶ ଦିଆଯାଇଛି। ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ଡାଉଟ୍‌ କ୍ଲିୟରିଂ କ୍ଲାସ୍‌(ଦ୍ବନ୍ଦ୍ବ ଦୂର ପାଠପଢା) ପାଇଁ ସ୍ବତନ୍ତ୍ର ଶ୍ରେଣୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆୟୋଜନ କରିପାରିବେ। ଏହି ଡାଉଟ୍‌ କ୍ଲିୟରିଂ କ୍ଲାସ୍‌ ପାଇଁ ଛାତ୍ରଛାତ୍ରୀ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଆଣି ଆସିବେ। ସମସ୍ତ ପରୀକ୍ଷା ସମେତ ଦଶମ ଶ୍ରେଣୀ ସମେଟିଭ-୧(ସାରାଂଶ ମୂଲ୍ୟାୟନ ପରୀକ୍ଷା) ମଧ୍ୟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ରାଜ୍ୟର ସବୁ ଜିଲାକୁ କରୋନା ପୁଣି ଗ୍ରାସ କରିଛି।‌ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩ରେ ପହଞ୍ଚିଛି। ୧୦ ଲକ୍ଷ ୪୫ ହଜାର ୫୧୪ ସୁସ୍ଥ ହୋଇଛନ୍ତି। ସେହିପରି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୪୬୭ରେ ପହଞ୍ଚିଛି।
୨୧୬୭ ସକ୍ରିୟ ସଂକ୍ରମିତଙ୍କ ସହିତ ଖୋର୍ଦ୍ଧା ହଳଦିଆ ବଳୟରେ ରହିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସଂକ୍ରମଣ ହାର ସର୍ବାଧିକ ଯଥାକ୍ରମେ ୭.୧ ଓ ୬.୧ ପ୍ରତିଶତରେ ରହିଥିବାବେଳେ ପୁରୀ ୪.୩, ସମ୍ବଲପୁର ୪.୨, ଝାରସୁଗୁଡ଼ା ଓ ବାଲେଶ୍ବରରେ ୨.୭, ଦେବଗଡ଼ ୨.୧, କଟକ ଓ କେନ୍ଦୁଝରରୁ ୧.୯ ଲେଖାଏଁ, ମୟୂରଭଞ୍ଜ ୧.୫, ଗଞ୍ଜାମ ୧.୪, ନବରଙ୍ଗପୁର ୧.୩, ଯାଜପୁର ଓ ଜଗତସିଂହପୁର ୧ ପ୍ରତିଶତ ରହିଛି। ଅନ୍ୟ ସବୁ ଜିଲାରେ ଏହା ୧ ପ୍ରତିଶତ ତଳେ ରହିଛି।

Comments are closed.