ଆନ୍ଧ୍ର ଓ ତେଲଙ୍ଗାନା ଫେରାନ୍ତଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ଭୂତାଣୁ କେତେବେଳେ ଛତିଶଗଡ଼ ପଟୁ ଓଡ଼ିଶାବାସୀଙ୍କୁ ସଂକ୍ରମିତ କରୁଛି ତ ଆଉ କେତେବେଳେ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତା ବଢାଉଛନ୍ତି। ଏତିକିବେଳେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଭୂତାଣୁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଫଳରେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ୬ ଜିଲାର ଜିଲାପାଳଙ୍କୁ ସୀମା କଟକଣାକୁ କଡାକଡି କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରି ଦର୍ଶାଇଛନ୍ତି ଯେ, ଆନ୍ଧ୍ର ଓ ତେଲେଙ୍ଗାନାରୁ ଏଣିକି ଯଦି କୌଣସି ବ୍ୟକ୍ତି ସ୍ଥଳପଥ, ଆକାଶପଥ କିମ୍ବା ଜଳପଥ ଦେଇ ଓଡ଼ିଶାକୁ ଆସୁଛନ୍ତି ତାଙ୍କୁ ୧୪ ଦିନିଆ ସଙ୍ଗରୋଧ ରହିବାକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା କରିବାକୁ ଶ୍ରୀ ଜେନା ଦର୍ଶାଇଛନ୍ତି।

ସେ ଦର୍ଶାଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି ୨ ପାନ ଟିକା ନେଇଥିବ କିମ୍ବା କରୋନା ଆକ୍ରାନ୍ତ ନଥିବା (୪୮ଘଣ୍ଟା ମଧ୍ୟରେ)ରିପୋର୍ଟ ଥିବ ତେବେ ସେ କ୍ଷେତ୍ରରେ ସାତ ଦିନିଆ ସଙ୍ଗରୋଧ ରହିବାକୁ ପଡ଼ିବ। ନିଜ ଅଞ୍ଚଳକୁ ଯଦି କେହି ଆନ୍ଧ୍ର କିମ୍ବା ତେଲେଙ୍ଗାନାରୁ ଆସୁଛନ୍ତି ତାଙ୍କୁ ସଙ୍ଗରୋଧରେ ରହିବା ଲାଗି ଜନପ୍ରତିନିଧିମାନେ ପ୍ରବର୍ତ୍ତାଇ ପାରିବେ କିମ୍ବା ଥାନା ଓ ବିଡ଼ିଓଙ୍କୁ ଅବଗତ କରାଇବେ।

ଯଦି କୌଣସି ବ୍ୟକ୍ତି ଜରୁରୀ କାର୍ଯ୍ୟ କିମ୍ବା କରୋନା ପରିଚାଳନା କାର୍ଯ୍ୟରେ ଉକ୍ତ ରାଜ୍ୟରୁ ଆସୁଛନ୍ତି; ତେବେ ସେ କ୍ଷେତ୍ରରେ କରୋନା ମାର୍ଗଦର୍ଶିକା ଅନୁଯାୟୀ ଆସିବାକୁ ଦିଆଯାଇପାରିବ। ଏହି ସୀମା ସୁରକ୍ଷା କାର୍ଯ୍ୟରେ ପରିବହନ ବିଭାଗ ସହାୟତା କରିବାକୁ ଶ୍ରୀ ଜେନା ଦର୍ଶାଇଛନ୍ତି।

ଏହି ଅବସରରେ ଶ୍ରୀ ଜେନା ଅନ୍ୟ ଏକ ସଂଶୋଧିତ କଟକଣାରେ ଦର୍ଶାଇଛନ୍ତି ଯେ ଟିକାକରଣ ଲାଗି ହେଉ କିମ୍ବା ରେଳବାଇ, ବିମାନବନ୍ଦର ଭଳି ଜରୁରୀ କାର୍ଯ୍ୟ ଲାଗି ଦୁଇଚକିଆ ଯାନରେ ଜଣେ ଏବଂ ଚାରି ଚକିଆ ଯାନରେ ଚାଳକ ସହିତ ୨ଜଣ ଯାତାୟାତ କରିପାରିବେ। ସହରାଞ୍ଚଳ ପରିବହନ କାର୍ଯ୍ୟକ୍ରମ ଉପରୋକ୍ତ ନିୟମ ଅନୁଯାୟୀ ଜାରି ରହିବ। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କାର୍ଯ୍ୟ ଜାରି ରହିପାରିବ ବୋଲି ଦର୍ଶାଯାଇଛି।

Comments are closed.