ଖସୁନି ସଂକ୍ରମଣ : ଚିନ୍ତା ବଢ଼ାଇଛି ୬ ଜିଲା

ତାଲାବନ୍ଦ ନିଷ୍ପତ୍ତି ନେଇ ଆଜି ବୈଠକ

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଆଉ ଦୁଇ ଦିନ ପରେ ସରିବ। ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ଏବେ ବି ୫ ପ୍ରତିଶତ ଉପରେ ରହିଛି। ସୋମବାର ରାଜ୍ୟରେ ୬୬ ହଜାର ୧୦୯ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୩,୩୧୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ସୋମବାର ୫.୦୨ ପ୍ରତିଶତ ରହିଛି। କଟକରେ ଏବେ ସଂକ୍ରମଣ ହାର ପୁଣି ଦୁଇଦିନ ହେଲା ଉପରମୁହାଁ ହୋଇଛି। କଟକ ଜିଲାରେ ଏହି ହାର ୧୦.୬ ପ୍ରତିଶତ ଥିବାବେଳେ ବାଲେଶ୍ବରରେ ସର୍ବାଧିକ ୧୧ ପ୍ରତିଶତ ରହିଛି। ସେହିଭଳି ମୟୂରଭଞ୍ଜରେ ୮.୬ ପ୍ରତିଶତ ଓ ଖୋର୍ଦ୍ଧାରେ ୮.୨ ପ୍ରତିଶତ, ପୁରୀରେ ୮, ଭଦ୍ରକରେ ୭.୪ ପ୍ରତିଶତ ରହିଛି। ଖୋର୍ଦ୍ଧା, କଟକ, ଯାଜପୁର ପୂର୍ବରୁ ଲାଲ ବଳୟରେ ରହିଥିବା ବେଳେ ଆଜି ବାଲେଶ୍ବର ପୁଣି ଥରେ ଲାଲବଳୟ ଭିତରକୁ ଆସିଛି। ଏହି ୬ଟି ଜିଲା ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ନେଇ ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକ ଡା. ସି. ବି. କେ. ମହାନ୍ତି କହିଛନ୍ତି ଯେ, ଯେଉଁ ସବୁ ଜିଲାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର ରହିଛି ସେଠାରେ କଟକଣା କୋହଳ କରାଯିବ। ମାତ୍ର ଯେଉଁଠି ୫ ପ୍ରତିଶତ ଉପରେ ରହିଛି ସେଠାରେ କଟକଣା କଡ଼ାକଡ଼ି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଉପକୂଳବର୍ତ୍ତୀ ଜିଲାକୁ ବାହାର ଜିଲାରୁ ଲୋକେ ଯାତାୟାତ କରୁଥିବାରୁ ସଂକ୍ରମଣ ହାର ଟିକିଏ ଅଧିକ ରହୁଛି। ଏହାକୁ ଦୃ‌ଷ୍ଟିରେ ରଖି ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ ବସୁଥିବା ସେ କହିଛନ୍ତି।
କଟକରୁ ଆଜି ସର୍ବାଧିକ ୫୬୬ ଜଣ ସଂକ୍ରମିତ ବାହାରି ଥିବାବେଳେ ଖୋର୍ଦ୍ଧା ଜିଲାରୁ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିବାକୁ ନେଇ କଟକବାସୀଙ୍କ ଚିନ୍ତା ବଢ଼ି ଯାଇଛି। ରାଜ୍ୟରେ ୩ହଜାର ୩୧୯ ନୂତନ ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୩ହଜାର ୭୮୯ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୮୯୬ ଏବଂ ସ୍ଥାନୀୟ ସମ୍ପର୍କରୁ ୧୪୨୩ ବାହାରିଛନ୍ତି। କଟକ ଓ ଖୋର୍ଦ୍ଧା ପରେ ବାଲେଶ୍ବରରୁ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ପୁରୀରୁ ୧୭୫, ଭଦ୍ରକରୁ ୧୬୩, କେନ୍ଦ୍ରାପଡାରୁ ୧୩୪, ଅନୁଗୋଳରୁ ୧୧୬ ଏବଂ ନୟାଗଡରୁ ୧୧୧ ବାହାରିଛନ୍ତି। ଅନ୍ୟ ସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କ ଭିତରେ ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ମୋଟ ମୃତ୍ୟୁସଂଖ୍ୟା ୩ହଜାର ୯୩୦ରେ ପହଞ୍ଚିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡ଼, ନୟାଗଡ, ପୁରୀରୁ ୫ ଲେଖାଏଁ, ସୁନ୍ଦରଗଡ଼ରୁ ୪, ଭଦ୍ରକ, କଟକ, ଗଞ୍ଜାମରୁ ୩ ଲେଖାଏଁ, ଢେଙ୍କାନାଳରୁ ୨, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ଆଉ ୩୩୮୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସକ୍ରିୟଙ୍କ ସଂଖ୍ୟା ୨୯ ହଜାର ୧୯କୁ ଖସିଛି।

Comments are closed.