ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ, କରୋନା ସଂକ୍ରମଣ ଆଶଙ୍କାରେ ପୁରୁଣା କଟକଣା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ସ୍ଥାନରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। କିଛି ସ୍ଥାନରେ ଲକଡାଉନ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଓଡିଶାରେ ସଂକ୍ରମଣ ଅଧିକ ନଥିଲେ ମଧ୍ୟ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଆଜି ରାଜ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଦୈନିକ ଭିତ୍ତିରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ(ଜିଏ) ପକ୍ଷରୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା ଜାରି କରିଛି। ଗତ ଜୁନ୍‌ ମାସରେ ଲାଗୁ ହୋଇଥିବା କରୋନା କଟକଣାକୁ ଓଡ଼ିଶାରେ ପୁନଃ ଲାଗୁ କରିବା ପାଇଁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣାରେ ଦର୍ଶାଯାଇଛି ଯେ ଏଣିକି ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ଜରୁରୀ। କର୍ମଚାରୀମାନେ କରିଡରରେ ଅନାବଶ୍ୟକ ଗହଳି କରିବେ ନାହିଁ। ପ୍ରତ୍ୟେକ କର୍ମଚାରୀ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ପଡ଼ିବ। ଅଫିସିଆଲ୍‌ ମିଟିଂ ପାଇଁ ଭିିଡିଓ କନ୍‌ଫରେନ୍‌ସିଂକୁ ଗୁରୁତ୍ବ ଦେବା ପାଇଁ ନିର୍ଦେଶ ଜାରି କରାଯାଇଥିବାବେଳେ ଫିଜିକାଲ୍‌ ମିଟିଂ ଜରୁରୀ ଥିଲେ ସାମାଜିକ ଦୂରତ୍ବ ପାଳନ ବାଧ୍ୟତାମୂଳକ ରଖାଯାଇଛି। ଆଗନ୍ତୁକଙ୍କୁ ଯଥାସମ୍ଭବ କମ୍ ଅଫିସ ଭିତରକୁ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।


କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେ କରାଯିବ ବୋଲି କୁହାଯାଇଛି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୭,୩୬,୬୮୯ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୮,୫୯୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩,୩୫, ୯୨୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୯୧୮ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୫ ରହିଛି। ୭୦୫ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ ଆଜି ଓଡ଼ିଶା କୋଭିଡ ନିୟନ୍ତ୍ରଣରେ ଭଲ ସ୍ଥିତିରେ ରହିଛି। ହେଲେ ବିପଦ ଏବେ ବି ଟଳି ନାହିଁ। ବିଭିନ୍ନ ରାଜ୍ୟରେ ଏବେ ସ୍ଥିତି ବିଗିଡ଼ିବା ସହିତ ଲକଡାଉନ ଲାଗୁ ହୋଇଛି। ହେଲେ ଆମ ରାଜ୍ୟରେ ପୁଣିଥରେ ସେପରି ସ୍ଥିତି ସୃଷ୍ଟି ହେବାକୁ ଦେବା ନାହିଁ। ଆମେ ସତର୍କ ରହିଲେ ଏପରି ସ୍ଥିତି ଉପୁଜିବ ନାହିଁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.