କୋଭିଡ୍‍ ଔଷଧ କଳାବଜାରୀ ବିରୋଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କୋଭିଡ୍‍ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ୍‍ ଗଚ୍ଛିତ ସହ କଳାବଜାରୀ ବିରୋଧରେ ରାଜ୍ୟ ପୋଲିସ୍‍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ଫ୍ଲାଇଂ ସ୍କ୍ୱାଡ୍‍ର ଏକ ମିଳିତ ଟିମ୍‍ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋରେ ଚଢଉ କରିଛନ୍ତି। କଟକର କାଠଗଡ଼ା ସାହି ଓ ଭାପୁର, ପ୍ରତାପ ନଗରୀ ଏବଂ ଭୁବନେଶ୍ୱରର ପାହାଳ ଓ ୟୁନିଟ୍‍-୩ସ୍ଥିତ ଔଷଧ ଡିପୋରେ ଚଢଉ କରିଛନ୍ତି। ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ହସ୍‍ପିଟାଲ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବଂଟନ କରାଯାଉଥିବା ଔଷଧ ଏବଂ ଷ୍ଟକ୍‍ ଏଣ୍ଟ୍ରି ସମ୍ପର୍କରେ ଯାଂଚ କରିଛନ୍ତି। ଏଥିସହ କୋଭିଡ୍‍-୧୯ ଔଷଧ ବଂଟନ ବ୍ୟବସ୍ଥା, ଔଷଧ ବିତରକ ଏବଂ ମେଡ଼ିକାଲ ଡିପୋର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପ୍‍ଡେଟ୍‍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍‍ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କ ଫୋର୍ସ, କ୍ରାଇମବ୍ରାଂଚର ଅଧିକାରୀ ଏବଂ ସ୍ଥାନୀୟ ପୋଲିସ୍‍ ସାମିଲ ରହିଛନ୍ତି।

କୋଭିଡ୍‍ ଔଷଧ କଳାବଜାରୀ ରୋକିବାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମ୍‍ବ୍ରାଂଚ, ଯଶୋୱନ୍ତ ଜେଠୱା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ନ ସଚିବ ଏବଂ ଡ୍ରଗ୍ସ କଂଟ୍ରୋଲର୍‍ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। କଟକ-ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଂ ସ୍କ୍ୱାଡ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟସ୍ଥାନରେ ୧୫ଟି ସ୍କ୍ୱାଡ୍‍ କାର୍ଯ୍ୟ କରୁଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଜେଠୱା ଏନ୍‍ଫୋର୍ସମେଂଟ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହାସହ କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ପାଇଲେ ଚଢଉ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Comments are closed.