ମିଳିଲାନି ଚିକିତ୍ସା ସୁବିଧା: କୋଭିଡ୍‌ ହସ୍‌ପିଟାଲ ସାମ୍ନାରେ ଆଖି ବୁଝିଲେ କରୋନା ସଂକ୍ରମିତ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଜିଲା ମୁଖ୍ୟ ଡାକ୍ତରଖାନା ଓ କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକାରୀ ମାନେ ହସ୍ପିଟାଲ ଆଇସିୟୁର ମନିଟର, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିବା ଦର୍ଶାଇ ସିଡିଏମ୍‌ଓ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ସଦର ଥାନାରେ ଏକ ମାମଲା ରୁଜୁ ହେବା ସହିତ କୋଭିଡ୍‌ ହସ୍ପିଟାଲରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ବରଗଡ ଜିଲା ବିଜେପୁର ବ୍ଲକ ଫୁଟୁକା ଗ୍ରାମର ବିରେନ୍ଦ୍ର ପ୍ରସାଦ ସିଂ (୫୭) କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଶିକ୍ଷକତା କରୁଥିଲେ। ତାଙ୍କ ପରିବାର ଭବାନୀପାଟଣା ବ୍ଲକ କଶାକେନ୍ଦୁ ଗ୍ରାମରେ ଭଡା ଘରେ ରହୁଥିଲେ। ଗତ ୯ ତାରିଖରେ ବିରେନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ସହର ସ୍ଥିତ ଜିଲା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ବୁର୍ଲା ରେଫର୍‌ କରାଯାଇଥିଲା। କିନ୍ତୁ ପରିବାର ଲୋକେ ଏଠାରେ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ଗତ ୧୦ ତାରିଖ ମଧ୍ୟାହ୍ନରେ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଚିହ୍ନଟ ପରେ ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଯୋଗାଇ ନଦେବା ଓ କୋଭିଡ୍‌ ହସ୍ପିଟାଲ୍‌କୁ ୪ ଘଣ୍ଟା ବିଳମ୍ବରେ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭବାନୀପାଟଣା ବ୍ଲକ ବାନ୍ଦୋପଲା କୋଭିଡ୍‌ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ବିରେନ୍ଦ୍ରକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ୍‌ ହସ୍ପିଟାଲ୍‌ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ସଦସ୍ୟ ହସ୍ପିଟାଲ୍‌ ସାମ୍ନାରେ ଧାରଣା ଦେବା ସହିତ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନ କିଛି ନ ଶୁଣିବାରୁ ଉତ୍ତେଜନାକାରୀମାନେ ଆମ୍ବୁଲାନ୍ସ କାଚ, ହସ୍ପିଟାଲର ଆଇସିୟୁର ୨ଟି ମନିଟର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିବା ସହିତ କାର୍ଯ୍ୟତର ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସିଡିଏମ୍‌ଓ ଡା. ପ୍ରତାପ ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଭବାନୀପାଟଣା ସଦର ଥାନା କେସ୍‌ ନଂ.୩୨୨/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ସିଡିଏମ୍‌ଓ ଡା. ପ୍ରତାପ ବେହେରାଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, ଗତ ୯ ତାରିଖରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ରେଫର କରାଯାଇଥିଲା। କିନ୍ତୁ ପରିବାର ଲୋକେ ଏଠାରେ ଚିକିତ୍ସା ପାଇଁ ଲିଖିତ ଅନୁରୋଧ କରିଥିଲେ। ଶନିବାର ମଧ୍ୟାହ୍ନ ୧୨ଟାରେ କୋଭିଡ ପରୀକ୍ଷା କରି ପଜିଟିଭ୍‌ ବାହାରିଥିଲା। ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ରେଫର କରାଯାଇଥିଲା। ସେଠାରେ ମୃତ୍ୟୁ ହେବାରୁ ମୃତକଙ୍କ ପରିବାର ଲୋକ ଏଭଳି ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛି। ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.