ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ବ୍ଲିଙ୍କେନଙ୍କୁ ସାକ୍ଷାତ ପରେ ମୋଦୀ ଟୁଇଟ୍‌ କରିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍ କରିବାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିଶ୍ରୁତିବଦ୍ଧତା ସ୍ବାଗତଯୋଗ୍ୟ। ଏହା ଦୁଇଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିପାଦନ କରୁଛି। ମୋଦୀ କହିଛନ୍ତି ଯେ ଭାରତ-ଆମେରିକାର ସମ୍ପର୍କ ବିଶ୍ବ ହିତ ପାଇଁ ବଡ ଶକ୍ତି। ଜୟଶଙ୍କରଙ୍କ ସହିତ କଥାବାର୍ତ୍ତାରେ ବ୍ଲିଙ୍କେନ ଆଫଗାନିସ୍ତାନର ଶାନ୍ତି ଓ ସ୍ଥିରତା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଏକଚାଟିଆ ଅଧିକାରରୁ ମୁକ୍ତ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଫଗାନିସ୍ତାନର ଶାନ୍ତି ଓ ସ୍ଥିରତା ପାଇଁ ଦୁଇଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ବ୍ଲିଙ୍କେନ ପ୍ରତିଶ୍ରୁତି ଦେଇଛନ୍ତି। ବ୍ଲିଙ୍କେନ କହିଛନ୍ତି ଯେ ଭାରତ ଆମ ପାଇଁ ଏକ ପ୍ରମୁଖ ସହଯୋଗୀ। ଭାରତ ଏକ ବିଶ୍ବ ଶକ୍ତି ଭାବେ ଉଭା ହେବା ସ୍ବାଗତଯୋଗ୍ୟ। ଡୋଭାଲଙ୍କ ସହିତ ବ୍ଲିଙ୍କେନ ଆଫଗାନିସ୍ତାନ, ଭାରତ-ପ୍ରଶାନ୍ତସାଗର ଓ ବିଶ୍ବ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଅନ୍ୟପଟେ ଭାରତକୁ କରୋନା ଟିକାକରଣ କ୍ଷେତ୍ରରେ ସହାୟତା ନିମନ୍ତେ ଆମେରିକା ୨କୋଟି ୫୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଆମେରିକାର ଏହି ସହାୟତା ସମ୍ପର୍କରେ ବ୍ଲିଙ୍କେନ ଘୋଷଣା କରି କହିଛନ୍ତି​ ଯେ ଏହା ଜୀବନ ରକ୍ଷା କ୍ଷେତ୍ରରେ ସହାୟକ ହେବ। ଏହି ସହାୟତା ଟିକା ଯୋଗାଣ, ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଟିକାକରଣ ପାଇଁ ସଚେତନତା ଆଦି ଦିଗରେ ଖର୍ଚ୍ଚ କରାଯିବ। ବ୍ଲିଙ୍କେନ ତାଙ୍କର ଏହି ଗସ୍ତ କାଳରେ ତିବ୍‌ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। କେନ୍ଦ୍ରୀୟ ତିବ୍‌ବତ ପ୍ରଶାସନ (ସିଟିଏ)ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଙ୍ଗୋଡୁପ୍ ଡୋଙ୍ଗଚୁଆଙ୍ଗକୁ ବ୍ଲିଙ୍କେନ ସାକ୍ଷାତ କରିଥିଲେ। ବ୍ଲିଙ୍କେନଙ୍କ ଏହି ସାକ୍ଷାତ ଚୀନକୁ କ୍ରୋଧିତ କରିଛି। ୨୦୧୬ ପରେ ଆମେରିକୀୟ ପ୍ରଶାସନର ଅଧିକାରୀ ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି। କ୍ବାଦ୍ ରାଷ୍ଟ୍ର ଗୋଷ୍ଠୀ ଗଠନ ସମ୍ପର୍କରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ବ୍ଲିଙ୍କେନ କହିଛନ୍ତି ଏହା ଏକ ସାମରିକ ମେଣ୍ଟ ନୁହେଁ। ସମଭାବାପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କରୋନା ଟିକାକରଣ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗ ଲାଗି ଏହି ମେଣ୍ଟ ଗଠନ ହୋଇଛି। ମଙ୍ଗଳବାର ରାତିରେ ଭାରତରେ ପହଞ୍ଚିଥିବା ବ୍ଲିଙ୍କେନ ବୁଧବାର ରାତିରେ କୁଏତ ଅଭିମୁଖେ ଯାତ୍ରା କରିଛନ୍ତି।

Comments are closed.