ବିଧାୟକଙ୍କ କୋଭିଡ୍‌ ନିୟମ ଉଲ୍ଲଙ୍ଘନ !

ଶ୍ରାଦ୍ଧ ଭୋଜିରେ ଆପ୍ୟାୟିତ ହେଲେ ଶତାଧିକ

ସୋରଡ଼ା : ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନରେ ଶହେରୁ ଅଧିକ ଲୋକଙ୍କୁ ଭୋଜିଭାତରେ ଆପ୍ୟାୟିତ କରି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଅଡୁଆରେ ପଡିଛନ୍ତି। କେବଳ ସେତିକି ନୁହେଁ ଏହି ଅବସରରେ ଆୟୋଜନ ହୋଇଥିଲା ରକ୍ତଦାନ ଶିବିର। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶହଶହ ଲୋକ ଛୁଟି ଆସିଥିଲେ। କାହାରି ମୁହଁରେ ନା ରହିଥିଲା ତୁଣ୍ଡି ନା ଥିଲା ସାମାଜିକ ଦୂରତା। ଶ୍ରାଦ୍ଧ ଭୋଜିରେ ସର୍ବାଧିକ ୨୦ଜଣଙ୍କ ଉପସ୍ଥିତିକୁ ଅନୁମତି ରହିଥିଲାବେଳେ ବିଧାୟକ କିପରି ଏତେ ସଂଖ୍ୟକ ଲୋକଙ୍କ ପାଇଁ ଏଭଳି ଭୋଜିଭାତ ଆୟୋଜନ କଲେ ତାହାକୁ ନେଇ ନାନା ପ୍ରଶ୍ନ।
ସୂଚନା ମୁତାବକ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପିତା ସ୍ୱର୍ଗତ ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବିଜୁ ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ତରଫରୁ ଅମୃତୁଲୁ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶହଶହ ଲୋକ ଏକତ୍ରିତ ହୋଇ ଭୋଜି ଖାଇବାର ଭିଡ଼ିଓ ପ୍ରସାରଣ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଖୋଦ ଶାସକ ଦଳର ବିଧାୟକ କିପରି କରୋନା ନିୟମ ଜାଣିପାରିଲେ ନାହିଁ ଏବଂ ଭୋଜିଭାତର ଆୟୋଜନ କଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶହ ଶହ ଲୋକଙ୍କୁ ଡାକି ଭୋଜି ଦେବାକୁ ସବୁ ମହଲରେ ନାପସନ୍ଦ କରାଯାଇଛି। କେବଳ ରକ୍ତଦାନ ଶିବିରରେ ୫୦୦ ରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ସେମାନଙ୍କ ନିମନ୍ତେ କଦଳି ପତ୍ରରେ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ବୋଲି ସ୍ଥାନୀୟ ବିଜେଡ଼ି ପକ୍ଷରୁ କୁହାଯାଇଛି। ସେହି ସମୟରେ ଅମୃତୁଲୁ ଗ୍ରାମର ବନମାଳି ବିଷୋୟୀଙ୍କ ସ୍ତ୍ରୀ ଜମ୍ଭୁ ବିଷୋୟୀଙ୍କ ଏକାଦଶାହ କାର୍ଯ୍ୟକ୍ରମ ନିମନ୍ତେ ଏକ ଭୋଜି ଓ ରକ୍ତଦାନ ଶିବିର ନିକଟରେ ହିଁ ଅନୁଷ୍ଠିତ ହେଉଥିଲା। ସ୍ଥାନୀୟ ପ୍ରଶାସନ ତରଫରୁ ଚଢଉ କରାଯାଇ ଉଭୟ ଆୟୋଜକଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି।
ଏ ସମ୍ପର୍କରେ ବିଧାୟକ ଶ୍ରୀ ସ୍ବାଇଁଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମତ ଦେବାକୁ ମନା କରିଦେଇଥିଲେ।

Comments are closed.