କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରିଛି । ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲାର ୩ ଜଣ, ଗଞ୍ଜାମ ଜିଲାର ୭ ଜଣ, କଳାହାଣ୍ଡି ଜିଲାର ଜଣେ ଓ ଯାଜପୁର ଜିଲାର ୨ ଜଣ କର୍ମଜୀବୀ ସାମ୍ବାଦିକ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ‘ଜି-ଓଡ଼ିଶା’ର ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ‘ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ର ସ୍ୱର୍ଗତ ପ୍ରୀତିମାନ୍‌ ମହାପାତ୍ରଙ୍କ ପରିବାରବର୍ଗ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ ।

 

ସେହିପରି ଗଞ୍ଜାମ ଜିଲ୍ଲାର ‘ଟିଭି ନ୍ୟୁଜ ୬’ (ୱେବ)ର ସାମ୍ବାଦିକ ଗୋବିନ୍ଦ ବେହେରା, ‘ସମ୍ବାଦ’ର ପ୍ରଦୀପ କିଶୋର ସାହୁ, ‘ସମାଜ’ର କିଶୋର ଚନ୍ଦ୍ର ଦାଶ, ‘ଓଡ଼ିଶା ଫାଇଲସ୍‌’ର ନରେଶ କୁମାର ବେହେରା, ‘କଳିଙ୍ଗ ଜ୍ୟୋତି, ନନ୍ଦିନୀ’ର ସାମ୍ବାଦିକ ରତ୍ନାକର ମହାରଣା, ବ୍ଲକ୍‌ କରେସ୍‌ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, ‘ଅନୁପମ ଭାରତ’ର କରୁଣାକର ସାହୁ, ବଲାଙ୍ଗୀର ଜିଲାର ‘ସମ୍ବାଦ’ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ, ‘ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, ‘ନକ୍ଷତ୍ର ଟିଭି’ର କଳାହାଣ୍ଡି ଜିଲା ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲାର ‘ମନ୍ଥନ’ର ସାମ୍ବାଦିକ ଅଶୋକ କୁମାର ସାହୁ, ‘ଲୋକସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ। କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ଅଉ କିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରାଧୀନ ରହିଛି। ସେ ବାବଦରେ ଜିଲାସ୍ତରରେ ଅନୁସନ୍ଧାନ ଜାରି ରହିଛି। ଖୁବ୍‌ ଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବା ପାଇଁ ପଦକ୍ଷେପ ନିଆଯିବ।
ପ୍ରକାଶ ଯୋଗ୍ୟ ଯେ କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଥିବା ଏହି ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତ ପାଇଁ ସମୁଦାୟ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

Comments are closed.