କରୋନା ଟୀକା ଲାଗି ଆହୁରି ୬ ମାସ ଅପେକ୍ଷା କରିବାକୁ ପଡ଼ିବ: ଡ଼ା. ଆନ୍ଥୋନୀ ଫାଉଚି

ରୁଷ ଗୋଟିଏ ପରେ ଗୋଟିଏ ଟୀକା ଉଦ୍ଭାବନ କରୁଥିବା ଦାବି କରୁଛି । ଚୀନ ନିଜ ଦେଶରେ ଟୀକା ଦିଆଯାଉଥିବା ଦାବି କରୁଛି । ଟୀକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଆକଳନ କରିଛି । ଏହି ସ୍ଥିତି​‌ରେ ସୁରକ୍ଷିତ ଟୀକା ନିମନ୍ତେ ଅନ୍ୟୂନ ୬ ମାସ ଅର୍ଥାତ୍ ୨୦୨୧ ପ୍ରଥମ ତ୍ରୟମାସିକ ସୁଦ୍ଧା ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଆମେରିକାର ଏପିଡେମୋଲୋଜିଷ୍ଟ୍ ଡକ୍ଟର ଆନ୍ଥୋନୀ ଫାଉଚି ।

ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି ଯେ ୨୦୨୧ଏପ୍ରିଲ୍ ସୁଦ୍ଧା ସମଗ୍ର ବିଶ୍ୱ ନିରାପଦ ତଥା ପ୍ରଭାବଶାଳୀ କୋଭିଡ୍ -୧୯ ଟୀକା ମିଳିପାରିବ । ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ  କେଉଁ ଟିକା ପ୍ରାର୍ଥୀ ସୁରକ୍ଷିତ ତାହା ଅନୁସନ୍ଧାନକାରୀମାନେ ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା  ଜାଣିପାରିବେ । ଏହା ପରେ ମଧ୍ୟ ଆରମ୍ଭରେ କେବଳ ଅଳ୍ପ ଲକ୍ଷ ଡୋଜ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି । ସେହିପରି ଆମେରିକାରେ ବର୍ଷ ଶେଷ ସୁଦ୍ଧା ୧୦୦ ନିୟୁତ ଡ଼ୋଜ ଟୀକା ପ୍ରସ୍ତୁତ ହୋଇପାରିବ ବୋଲି ଯେଉଁ ଆକଳନ କରାଯାଉଛି ତାହା ଉପରେ ମଧ୍ୟ ଡ଼. ଫାଉସୀ ମତ ଦେଇ କହିଛନ୍ତି ଯେ ଏହା ସମ୍ଭବ, ତେବେ ଟୀକା ସୁରକ୍ଷିତ ବୋଲି ପ୍ରମାଣିତ ହେବା ଆବଶ୍ୟକ । ଅନୁରୂପ ଭାବରେ ସେ  କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ବହୁତ ଭାଗ୍ୟବାନ । କରୋନା ସଂକ୍ରମିତ ହେବା ପରେ ସେ ସୁସ୍ଥ ହୋଇଛନ୍ତି । ତାଙ୍କ ବୟସ ଓ ଓଜନର ବହୁ ଲୋକ କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ ନୁହନ୍ତି ।

Comments are closed.