ଏକ କୋଟି ଟପିଲା ଦେଶରେ କରୋନା ନମୁନା ପରୀକ୍ଷା

ଭାରତରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ପର ଠାରୁ ଆଜି ସୁଦ୍ଧା ୧ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି। ସଂକ୍ରମଣ ଆରମ୍ଭରୁ ଗୋଟିଏ ଦିନରେ ମାତ୍ର ୧୦୦ଟି ନମୁନା ପରୀକ୍ଷା କରାଯାଇ ପାରୁଥିଲା। ବିଭିନ୍ନ ଗବେଷଣା ପ୍ରତିଷ୍ଠାନ, ମେଡିକାଲ୍‍ କଲେଜ୍‍, ନମୁନା ପରୀକ୍ଷାଗାର, ବହୁ ମନ୍ତ୍ରଣାଳୟ, ବିମାନ ଚଳାଚଳ ସଂସ୍ଥା ଓ ଡାକସେବା ବିଭାଗ ଆଦିର ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ନମୁନା ପରୀକ୍ଷା ଏବେ ୧ କୋଟିକୁ ଅତିକ୍ରମ କରିଯାଇଛି। କୋଭିଡ୍‍ ସଂକ୍ରମଣ ଯୋଗୁଁ ଦେଶ ଏକ ଅତି ସଂକଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହାର ଫଳପ୍ରଦ ମୁକାବିଲା ପାଇଁ ସରକାର ପରୀକ୍ଷା-ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଗ୍ରହଣ କରିଛନ୍ତି। ଏହାଦ୍ୱାରା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରୁଛି। କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶରେ ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମଗୁଡ଼ିକର ଉତ୍ପାଦନ କରିବାକୁ ସରକାର ଦେଶୀୟ କମ୍ପାନୀମାନଙ୍କୁ ଉତ୍ସାହିତ କରି ଆସୁଛନ୍ତି।

ଗତ ଜାନୁଆରୀ ମାସରେ ଦେଶରେ କେବଳ ଗୋଟିଏ ମାତ୍ର ନମୁନା ପରୀକ୍ଷାଗାର ଥିଲା। ସେହି ନମୁନା ପରୀକ୍ଷାଗାରଟି ପୁଣେ ସ୍ଥିତଜାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନରେ ଥିଲା। ଆଜି ୧୧ଶହରୁ ଅଧିକ ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ କରୋନା ସଂକ୍ରମିତମାନଙ୍କ ନମୁନା ପରୀକ୍ଷା କରାଯାଉଛି। ଆଇ.ସି.ଏମ୍‍.ଆର୍‍. ପ୍ରତିଦିନ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ଲାଗି ଅନୁମତି ଦେଉଛି। ଏହାଛଡ଼ା RT-PCR କିଟ୍‍, True Nat Test ଓ CBNAAT Testକୁ ମଧ୍ୟ ଆଇ.ସି.ଏମ୍‍.ଆର୍‍. ଅନୁମତି ପ୍ରଦାନ କରିଛି। କଣ୍ଟେନ୍‍ମେଣ୍ଟ ଜୋନ୍‍ ଗୁଡ଼ିକରେ RT-PCR ଟେଷ୍ଟ ସହିତ ଆଣ୍ଟିଂଜେନ୍‍ ଟେଷ୍ଟ ପାଇଁ ମଧ୍ୟ ଆଇ.ସି.ଏମ୍‍.ଆର୍‍. ସୁ।ରିଶ କରିଛି। ଭାରତ ଉଚ୍ଚମାନର ଶସ୍ତାମୂଲ୍ୟରେ ଉପଲବ୍ଧ ପରୀକ୍ଷା ସରଞ୍ଜାମ ଉତ୍ପାଦନ କରୁଛି। ଏହାଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପରୀକ୍ଷା ସରଞ୍ଜାମ ଶସ୍ତାରେ ଉତ୍ପାଦନ ହୋଇପାରୁଛି। ଏଗୁଡ଼ିକୁ ଆମଦାନୀ କରିବା ବାବଦରେ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା।

ତେବେ ଏତେସବୁ ସୁବିଧା ମଧ୍ୟରେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କ ପାଇଁ ନମୁନା ପରୀକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି। ଦେଶର ବିଭିନ୍ନ ଭାଗରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରିବା ଲାଗି ଅତିରିକ୍ତ ପରୀକ୍ଷା ପଦ୍ଧତି ଗୁଡ଼ିକର ବ୍ୟବହାର ସକାଶେ ଆଇ.ସି.ଏମ୍‍.ଆର୍‍. ସୁପାରିଶ କରିଛି।

Comments are closed.