ଦେଶରେ କରୋନା ଆରୋଗ୍ୟ ହାର ୯୧.୩୪%, ୨୪ ଘଂଟାରେ ୫୯ ହଜାର ୪୫୪ ସୁସ୍ଥ

ଦେଶରେ କୋଭିଡ ଆରୋଗ୍ୟ ହାର ୯୧.୩୪ ପ୍ରତିଶତ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାରରୁ ଅଧିକ କରନା ରୋଗୀ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୋଟ ଆରୋଗ୍ୟ ସଂଖ୍ୟା ୭୪ ଲକ୍ଷ ୩୨ ହଜାରରୁ ଅଧିକ ହୋଇଛି। ଦେଶରେ ଏବେ ମୋଟ ସଂକ୍ରମଣର ମାତ୍ର ୭.୧୬ ପ୍ରତିଶତ ସକ୍ରିୟ ସଂକ୍ରମଣ ରହିଛି। ବର୍ତ୍ତମାନ ଦେଶରେ ୫ ଲକ୍ଷ ୮୨ ହଜାର ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୨୬୮ଟି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୮୧ ଲକ୍ଷ ୩୭ ହଜାରକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ପ୍ରଭାବଶାଳୀ କାର୍ୟ୍ୟାନ୍ୱୟନ ଦ୍ୱାରା ଅଧିକ ସୁସ୍ଥତା ଏବଂ ମୃତ୍ୟୁହାର କମ୍ ହୋଇଛି। ସମ୍ପ୍ରତି ଭାରତରେ କରୋନା ଜନିତ ମୃତ୍ୟୁହାର ୧.୪୯ ପ୍ରତିଶତରେ ରହିଛି, ଯାହା ବିଶ୍ୱରେ ସର୍ବନିମ୍ନ। ଗତ ୨୪ ଘଣ୍ଟା ମଧ୍ୟରେ ୫୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୬୪୧ରେ ପହଞ୍ଚିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୬୪ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏପର୍ୟ୍ୟନ୍ତ ମୋଟ ୧୦ କୋଟି ୭୭ ଲକ୍ଷ ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.