କୋଭିଡ ଆରୋଗ୍ୟ ହାର ୮୭.୦୫ ପ୍ରତିଶତ; ୯ କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୭.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାରରୁ ଅଧିକ ସଂକ୍ରମିତ  ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ଅତିକ୍ରମ କରିଛି। ଆରୋଗ୍ୟଲାଭ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର  ୧୧.୪୨% ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୬ ହଜାର ରହିଛି।

ଅନ୍ୟପକ୍ଷରେ ଭାରତ ୯ କୋଟିରୁ ଅଧିକ ନମୁନା ପରୀକ୍ଷା କରି ଏକ ନୂଆ ସଫଳତା ହାସଲ କରିଛି। ଗତ ୨୪ ଘଣ୍ଟା ଭିତରେ ୧୧ ଲକ୍ଷ ୪୫ ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି।
ସେହିପରି ଗତ ୨୪ ଘଣ୍ଟା ଭିତରେ ୬୩ ହଜାର ୫୦୯ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବାରୁ ମୋଟ୍‍ ସଂକ୍ରମଣ ୬୨ ଲକ୍ଷରୁ ଅଧିକ ରହିଛି। କୋଭିଡ ମୁକାବିଲା ପାଇଁ ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ୧.୫୩% ରହିଛି, ଯାହା ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ କମ୍‍। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ରେ ପହଞ୍ଚିଛି।

Comments are closed.