ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାର ୭ଗୁଣରୁ ଅଧିକ

କୋଭିଡ ଆରୋଗ୍ୟ ହାର  ୮୫.୫୨ %କୁ ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର  ୮୫.୫୨ ପ୍ରତିଶତକୁୁ ବୃଦ୍ଧି ପାଇଛି। ବିଗତ ୩ ସପ୍ତାହ ଧରି ଦେଶରେ କୋଭିଡରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସଂକ୍ରମିତମାନଙ୍କ ସଂଖ୍ୟା ୧୦ ଲକ୍ଷରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୭୮ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାରକୁ ହ୍ରାସ ପାଇଛି। ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର  ୧୨.୯୪ % ରହିଛି। ଭାରତରେ ଆରୋଗ୍ୟଙ୍କ ସଂଖ୍ୟା ୫୯ ଲକ୍ଷ ଅତିକ୍ରମ କରିଯିବା ସହ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆରୋଗ୍ୟଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ପ୍ରାୟ ୭ ଗୁଣ ଅଧିକ ରହିଛି। ଗତ ଏକ ମାସ ଧରି କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ଶତକଡ଼ା ୧୦୦ ଭାଗରୁ ଅଧିକ ରହିଛି।
ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଚିକିତ୍ସା କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର କମିବାରେ ଲାଗିଛି। ଦେଶରେ କୋଭିଡ ମୃତ୍ୟୁହାର ୧.୫୪% ରହିଛି। ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ୪୯୬ ଜଣ ନୂଆ ଲୋକ  ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମଣ ୬୯ ଲକ୍ଷ ୬ ହଜାର ୧୫୨ ରହିଛି। ୯୬୪ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦ରେ ପହଞ୍ଚିଛି।

Comments are closed.