କୋଭିଡ୍‍-୧୯ ଆରୋଗ୍ୟ ହାର ୭୦. ୭୭% : ମୃତ୍ୟୁ ସଂଖ୍ୟା ୪୭,୦୩୩

 

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ଶତକଡ଼ା ୭୦ ଭାଗକୁ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବ୍ୟାପକ ନମୁନା ପରୀକ୍ଷା, ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ଯୋଗୁଁ ଦେଶରେ ଏପର୍ଯ୍ୟନ୍ତ ୧୬ଲକ୍ଷ ୯୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୫୬ ହଜାର ୩୮୩ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍‍-୧୯ ଆରୋଗ୍ୟ ହାର ୭୦. ୭୭%କୁ ବୃଦ୍ଧି ପାଇଛି। ତେବେ  ଏପର୍ଯ୍ୟନ୍ତ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟାର  ୨୭.୨୭ ଭାଗ ସକ୍ରିୟ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୬,୯୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ୯୪୨ ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ହଜାର ୬୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭,୦୩୩କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ କହିଛି, ଭାରତରେ କୋଭିଡ୍‍ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି ଓ ଏହା ବର୍ତ୍ତମାନ ଶତକଡ଼ା ୨ ଭାଗରୁ ତଳକୁ ଖସିଆସିଛି। ମନ୍ତ୍ରଣାଳୟ କହିଛି ସରକାରଙ୍କ ତତ୍ତ୍ୱାବଧାନରେ ଗୃହମଧ୍ୟରେ ଏକାନ୍ତବାସରେ ରହିବା ଓ ସଂକ୍ରମିତମାନଙ୍କର ଠିକ୍‍ ସମୟରେ ଚିକିତ୍ସା ଯୋଗୁଁ ବିଭିନ୍ନ ରାଜ୍ୟ ଓ
କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି।

Comments are closed.