କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ନିକଟତର; ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ନିକଟତର ହୋଇଛି। କୋଭିଡ୍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧୫ ଲକ୍ଷ ୮୩ ହଜାର ୪୮୯କୁ ବୃଦ୍ଧି ପାଇଛି। ଫଳରେ ଦେଶରେ କରୋନା ଆରୋଗ୍ୟ ହାର ୬୯.୮୦ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ କ୍ରମାଗତ ଭାବେ ୪ ଦିନ ଧରି ୬୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହି ସଂଖ୍ୟା ମଙ୍ଗଳବାର ୫୫,୦୦୦ ତଳକୁ ହ୍ରାସ ପାଇଛି। ଗୋଟିଏ ଦିନରେ ଆଉ ୫୩ ହଜାର ୬୦୧ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍ ସଂକ୍ରମିତମାନଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫ ରହିଛି। କୋଭିଡ୍-୧୯ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ହାର ୧.୯୯ ପ୍ରତିଶତ ରହିଛି।
ବର୍ତ୍ତମାନ ୬ଲକ୍ଷ ୩୯ ହଜାର ୯୨୯ ଜଣ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଇସିଏମ୍ଆର୍ କହିଛି, ଗତ ୨୪ ଘଣ୍ଟା ଭିତରେ ୬ଲକ୍ଷ ୯୮ ହଜାର ୨୯୦ଟି ନମୁନା ପରୀକ୍ଷା କରାଯାଇଛି। ଦେଶରେ ଗତକାଲି ସୁଦ୍ଧା ମୋଟ୍ ୨ କୋଟି ୫୨ ଲକ୍ଷ ୮୧ ହଜାର ୮୪୮ଟି ନମୁନା ପରୀକ୍ଷା କରାଯାଇଛି।