ଆରୋଗ୍ୟ ଲାଭ କଲେଣି ୩ଲକ୍ଷ ୨୧ହଜାରରୁ ଅଧିକ ସଂକ୍ରମିତ : ଆରୋଗ୍ୟ ହାର ୫୮.୬୭%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏଯାବତ ମୋଟ୍‍ ୩ଲକ୍ଷ ୨୧ହଜାର ୭୨୩ଜଣ
କୋଭିଡ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ଅନ୍ୟପକ୍ଷରେ ଗତ ୨୪
ଘଣ୍ଟା ମଧ୍ୟରେ ୧୨ହଜାର ୧୦ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହ ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ଶତକଡା ୫୮.୬୭% ରହିଛି ।

ସେହିପରି ଗତ ୨୪ଘଣ୍ଟା ଭିତରେ ଆଉ ୧୯ହଜାର ୪୫୯ଜଣ ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୫ଲକ୍ଷ ୪୮ହଜାର ୩୧୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୩୮୦ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋଭିଡ ମୃତ୍ୟୁସଂଖ୍ୟା ୧୬ହଜାର ୪୭୫ରେ  ପହଞ୍ଚିଛି । ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୨ଲକ୍ଷ ୧୦ହଜାର ୧୨୦ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୧ଲକ୍ଷ ୭୦ହଜାର ୫୬୦ଟି ନମୂନା ପରୀକ୍ଷା
କରାଯାଇଛି । ବର୍ତ୍ତମାନ ସୁଦ୍ଧା ସର୍ବମୋଟ୍‍ ୮୩ଲକ୍ଷ ୯୮ହଜାର ୩୬୨ଟି ନମୂନା ପରୀକ୍ଷା କରାଯାଇ ସାରିଛି। ଆଇସିଏମ୍‍ଆର୍‍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟାବୃଦ୍ଧି କରିବା ଉଦ୍ୟମ ଅବ୍ୟାହତ ରଖିଛି । ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ କୋଭିଡ ନମୂନା ପରୀକ୍ଷା ପାଇଁ ଅନୁମତି ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧ହଜାର ୪୭ଟି
ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି । ସେଥିମଧ୍ୟରୁ ୭୬୦ଟି ସରକାରୀ ପରୀକ୍ଷାଗାର ଓ ୨୮୭ଟି ବେସରକାରୀ ପରୀକ୍ଷାଗର ରହିଛି ।

Comments are closed.