କରୋନା ଅପଡେଟ୍ : ଆରୋଗ୍ୟ ହାର ୫୪.୧୩%କୁ ବୃଦ୍ଧି, ୩୭୫ଜଣଙ୍କର ମୃତ୍ୟୁ

ନୁଆଦିଲ୍ଲୀ :  ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୫୪.୧୩%କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨ଲକ୍ଷ ୧୩ହଜାର ୮୩୧ଜଣ
ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୯ହଜାର ୧୨୦ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ ବର୍ତ୍ତମାନ ୧ଲକ୍ଷ ୬୮ହଜାର ୨୬୯ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୧୪ହଜାର ୫୧୬ଜଣ ଭୂତାଣୁରେ ସଂକ୍ରମିତ ହେବା ସହ ଏପର୍ଯ୍ୟନ୍ତ ସଂକ୍ରମିତମାନଙ୍କ ସଂଖ୍ୟା ୩ଲକ୍ଷ ୯୫ହଜାର ୪୮ ରହିଛି। କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ଠାରୁ ଗୋଟିଏ ଦିନ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। ଗୋଟିଏ ଦିନ ଭିତରେ ୩୭୫ଜଣଙ୍କ ମୃତ୍ୟୁ ଘଟିବା ସହ କରୋନା ମୃତ୍ୟୁସଂଖ୍ୟା ୧୨ହଜାର ୯୪୮ରେ ପହଞ୍ଚିଛି। ଏଥିସହିତ କରୋନା ମୃତ୍ୟୁହାର ଶତକଡା ୩.୨୭ ଭାଗ ରହିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ଘଣ୍ଟା ଭିତରେ ୧ଲକ୍ଷ ୮୯ହଜାର ୮୬୯ନମୂନା ପରୀକ୍ଷା କରାଯାଇଛି। କୌଣସି ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ନମୂନା ପରୀକ୍ଷଣ। ଏପର୍ଯ୍ୟନ୍ତ ମୋଟ୍‍ ୬୬ଲକ୍ଷ ୧୬ହଜାର ୪୯୬ ନମୂନା ପରୀକ୍ଷା କରାଯାଇସାରିଲାଣି। ଆଇସିଏମ୍‍ଆର୍‍ ନମୂନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ଦେବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ବର୍ତ୍ତମାନ ୯୭୪ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୭୧୫ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୨୫୯ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.