ପୁରୀ ସହରରେ କୋଭିଡ-୧୯ ପରିଚାଳନାକୁ ନେଇ ପ୍ରଶାସନର ରାଜନୈତିକ ନେତୃବୃନ୍ଦଙ୍କ ସହ ବୈଠକ 

ପୁରୀ :ସୋମବାର ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ବଳବନ୍ତ ସିଂହଙ୍କ ଅଧ୍ୟକ୍ଷତା ରେ ପୁରୀ ସହରରେ କୋଭିଡ-୧୯  ପରିଚାଳନା ସମ୍ବନ୍ଧରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗାମୀ ଦିନ ମାନଙ୍କରେ ନେବାକୁ ଥିବା ପ୍ରଶାସନିକ କାର୍ଯ୍ୟ ଖସଡ଼ା ସମ୍ବନ୍ଧରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକ ରେ ବରିଷ୍ଠ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ  ମହେଶ୍ୱର ମହାନ୍ତି ଏବଂ ପୁରୀର  ବିଧାୟକ  ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧି ମାନେ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ ପାୱାର ପଏଣ୍ଟ ମାଧ୍ୟମ ରେ ଏଯାବତ କୋଭିଡ- ୧୯ ପରିଚାଳନା ପରିପ୍ରେକ୍ଷୀରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଏବଂ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ I

ସହରର ସମସ୍ତ ୩୨ ଟି ୱାର୍ଡ ରେ ଡବ୍ଲୁସିଏକସି ଗଠନ ହୋଇଥିବା ଏବଂ ଏଥିରେ ଏଏଡ଼ଏମ/ସ୍ୱାସ୍ଥ୍ୟ ସହାୟିକାଙ୍କ ନେତୃତ୍ୱ୍ୱ ରେ ଆଶା କର୍ମୀ ,ସ୍ଵଛସାଥୀ ଏବଂ ଏମଏଏସ/ଏସଏଚଜିର ସଦସ୍ୟା  ମାନେ ଅଛନ୍ତି I ୪୦୦  ଜଣ ଙ୍କୁ ସକ୍ରିୟ ଯାଂଚ ପାଇଁ ତାଲିମ ଦିଆ ଯାଇଥିଲା I ରଥଯାତ୍ରା ପୂର୍ବରୁ ୩୨ଗୋଟି ସ୍ୱତନ୍ତ୍ର ସର୍ଭେ ଟିମ ୨୫୯୦ ସେବାୟତଙ୍କ ଗୃହ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସମସ୍ତଙ୍କୁ ମାସ୍କ ଏବଂ ସାନିଟାଇଜର ଯୋଗାଇ ଦିଆ ଯାଇଥିଲା I ରଥ ଯାତ୍ରା ସମୟରେ ବଡଦାଣ୍ଡ ଏବଂ ପାଖପାଖି ସାହିକୁ ବିଶୋଧନ କରିବା ସହ ଦ୍ଵିତୀୟ ପର୍ଯ୍ୟାୟରେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା I ଏଥିସହ ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀଙ୍କର ମଧ୍ୟ୍ୟ କୋଭିଡ ପରୀକ୍ଷା କରାଯାଇଥିଲା I ରଥ ଯାତ୍ରା ପରେ ୫ ଟି ଏନଫୋର୍ସମେଣ୍ଟ ସ୍କାର୍ଡ ଗଠନ କରାଯାଇ ୧୮୫୭ ଜଣ ନିୟମ ଉଲଂଘନ କାରୀଙ୍କ ଠାରୁ ବର୍ତ୍ତମାନ ସୁଧା ୩,୯୩,୧୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି I

ଜୁଲାଇ ୧୦ ତାରିଖ ରୁ ୧୪ ତାରିଖ ମଧ୍ୟରେ ସେବାୟତ ମାନଙ୍କ ତୃତୀୟ ପର୍ଯ୍ୟାୟ ସ୍ୱାବ ଟେଷ୍ଟ କରା ଯିବ I  ୧୫ ଜୁଲାଇ ଠାରୁ ଆଣ୍ଟବଡି ଷ୍ଟାଟସ ଜାଣିବା ପାଇଁ ସେରଲୋଜି ଟେଷ୍ଟ କରାଯିବ I  ପୁରୀ ସହର ରେ ଅଦ୍ୟାବଧି ୮୧୧୨ ଜଣ ଙ୍କ କୋଭିଡ ଟେଷ୍ଟ କରାଯାଇଛି ଏବଂ ସେ ମଧ୍ୟରୁ ୨୩  ଜଣ ଙ୍କ  ପୋଜିଟିଭ ରିପୋର୍ଟ ଆସିଛି I  ପୁରୀର ମୋଟ ୯ ଟି ଅଂଚଳ କୁ  କଣ୍ଟେନମେଣ୍ଟ  ଜୋନ ଘୋଷଣା କରା ଯାଇଛି I ୨୨୮ ଜଣ ଙ୍କ ରିପୋର୍ଟ ଆସିବା ବାକି ଅଛି I

ଜିଲାପାଳ ଆଗାମୀ ଦିନ ମାନଙ୍କରେ ପୁରୀ ସହର ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ଏବଂ ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା  ଦେଇ ଉପସ୍ଥିତ ଜନ ପ୍ରତିନିଧି  ଏବଂ ରାଜନୈତିକ ନେତୃବୃନ୍ଦ ଙ୍କ ସହଯୋଗ ଓ ଦିଗଦର୍ଶନ କାମନା କରିଥିଲେ I  କରୋନା ରେ ମୃତ୍ଯୁ ବରଣ କରିଥିବା ବ୍ୟକ୍ତି ଙ୍କ ଶେଷ କୃତ୍ୟ ଷ୍ଟେର୍ଲିଙ୍ଗ ରିସର୍ଟ ପାଖ ନଈ ଅପର ପକ୍ଷ ରେ ଥିବା ସ୍ମଶାନ ଘାଟ ରେ ସମ୍ପନ୍ନ କରାଯିବା ପାଇଁ ସ୍ଥିର କରାଯାଇ ଥିଲା I  ଏଥି ସହ ଶ୍ୱେତ ଗଙ୍ଗା ପୁଷ୍କରଣୀ ରେ ଶୁଦ୍ଧି କ୍ରିୟା ସ୍ନାନ ଆଦି ବର୍ତମାନ ପାଇଁ ବନ୍ଦ କରିବା ପାଇଁ ମତ ପ୍ରକାଶ କରାଯାଇଥିଲା I  ଉପସ୍ଥିତ ସମସ୍ତେ ଆଲୋଚନା ରେ ସକାରାତ୍ମକ ଅଂଶ କରିବା ସମସ୍ତ ନିଷ୍ପତି ରେ ସହମତି ପ୍ରକାଶ କରିଥିଲେ I ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ବିଜୟ ଦାଶ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ I

Comments are closed.