କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଆୟୋଜିତ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତାର ପୁରସ୍କାର ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ କୋଭିଡ୍-୧୯ର ସକରାତ୍ମକ ସଚେତନତାକୁ‌ ଆଧାର କରି ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଏକ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତାର ପୁରସ୍କାର ଘୋଷଣା କରାଯାଇଛି । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏହି ପ୍ରତିଯୋଗିତାର ପୁରସ୍କାର ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଥିଲେ ।
ଏହି ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ୮୩୫ ଜଣ ଓ ବରିଷ୍ଠ ବିଭାଗରୁ ୩୦୦ ଜଣ ଶିଳ୍ପୀଙ୍କୁ ପୁରସ୍କାର ନିମନ୍ତେ ଜୁରୀମଣ୍ଡଳୀଙ୍କ ଦ୍ବାରା ମନୋନୀତ କରାଯାଇଛି। ମନୋନୀତ କନିଷ୍ଠ ବର୍ଗରୁ ପ୍ରତ୍ୟେକ ୧୦୦୦ ଟଙ୍କା ଏବଂ ବରିଷ୍ଠ ମନୋନୀତ ଶିଳ୍ପୀଙ୍କୁ ୫୦୦ ଟଙ୍କା ପୁରସ୍କାର ରାଶୀ ଭାବେ ପ୍ରଦାନ କରାଯିବ। ଏହି ପୁରସ୍କାର ରାଶିକୁ ଅନଲାଇନରେ ଶିଳ୍ପୀଙ୍କ ଆକାଉଣ୍ଟସ୍‌କୁ ସିଧାସଳଖ ପ୍ରେରଣ କରାଯିବ। ଏତଦବ୍ୟତୀତ ଏକାଡେମୀ ଦ୍ୱାରା ସହବନ୍ଧିତ ରାଜ୍ୟର ୧୦୦ଟି ଚିତ୍ରକଳା ଶିକ୍ଷାନୁଷ୍ଠାନର ନାମ ମନ୍ତ୍ରୀ ମହୋଦୟଙ୍କ ଦ୍ବାରା ଘୋଷଣା କରାଯାଇଥିଲା । ଏହି ଅନୁଷ୍ଠାନଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ସଂପୂର୍ଣ୍ଣ ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ବଛତାର ସହ ନିରପେକ୍ଷ ଭାବେ ଏକ ଦଳଗତ ଉଦ୍ୟମରେ କରାଯାଇଛି, ଯାହା ଏକ ଅନୋଖା କାର୍ଯ୍ୟକ୍ରମ ଭାବେ ପରିଗଣିତ ହେବ। କେତେକ ନିର୍ବାଚିତ ଚିତ୍ରକୁ ଏକ କ୍ୟାଟ୍‌ଲଗ୍‌ ଭାବେ ଉପସ୍ଥାପିତ କରାଯାଇଥିବାରୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖୁସି ବ୍ୟକ୍ତ କରିଥିଲେ । କୋଭିଡ୍‌ ଲକ୍‌ ଡାଉନ୍‌ ସମୟରେ ଏହି ଧରଣର କାର୍ଯ୍ୟକ୍ରମ କୌଣସି ରାଜ୍ୟରେ ଆଗରୁ କରାଯାଇ ନଥିବାବେଳେ ଏହା ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ପନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏକାଡେମୀର ଓ.ଏସ୍‌.ଡି ଶ୍ରୀମତୀ ମନସ୍ୱିନୀ ସାହୁ ଓ ଏକାଡେମୀର ସଚିବ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.