କୋଭାକ୍ସିନ ମାନବ ପରୀକ୍ଷଣ ଉତ୍ସାହଜନକ

ରୋହତକ : କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପ୍ରଥମ ମାନବ ପରୀକ୍ଷଣ ସଫଳ ଓ ଉତ୍ସାହଜନକ ଥିବା ହରିୟାଣାର ରୋହତକସ୍ଥିତ ପଣ୍ଡିତ ଭଗବତ ଦୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ପିଜିଆଇଏମ୍‍ଏସ୍‍) ପକ୍ଷରୁ କୁହାଯାଇଛି। ଟିକା ପରୀକ୍ଷାର ମୁଖ୍ୟ ପରୀକ୍ଷକ ଡାକ୍ତର ସବିତା ବର୍ମା କହିଛନ୍ତି ଯେ ଜୁଲାଇ ୧୭ରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପ୍ରଥମ ପରୀକ୍ଷା ୫୦ ଜଣଠାରେ ହୋଇଥିଲା। ଶନିବାର ଠାରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ପରୀକ୍ଷା ଆରମ୍ଭ ହୋଇଛି। ଦ୍ୱିତୀୟ ପରୀକ୍ଷାରେ ୬ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଛି। ଟିକାର ବିଭିନ୍ନ ପ୍ରକାର ଡୋଜ୍‍ ୬ଜଣଙ୍କୁ ଦିଆଯାଇଛି। ପିଜିଆଇଏମ୍‍ର କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ୧୫୦ଜଣ ସ୍ୱେଚ୍ଛାସେବୀ ନାମ ପଞ୍ଜିକରଣ କରିଥିବାବେଳେ ସେଥିରୁ ୫୧ଜଣଙ୍କୁ ସ୍କ୍ରିନିଂ କରାଯାଇଛି। ସ୍କ୍ରିନଂ ପରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ଠାରେ ଟିକାର ମାନବ ପରୀକ୍ଷଣ କରାଯିବ। ଦିଲ୍ଲୀ ଏମ୍ସରେ ଏହି ଟିକାର ମାନବ ପରୀକ୍ଷଣ ଲାଗି ୩୦୦୦ ସ୍ୱେଚ୍ଛାସେବୀ ନାମ ପଞ୍ଜିକରଣ କରିଛନ୍ତି। ରୋହତକରେ କରୋନା ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ଏହା ପରେ ଚେନ୍ନଇର ଏସଆରଏମ୍‍ ମେଡିକାଲ କଲେଜ ଓ ଦିଲ୍ଲୀ ଏମ୍ସରେ ଏହାର ପରୀକ୍ଷଣ କରାଯାଇଛି।

Comments are closed.