ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା : ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକ୍ସିନ୍‌ର ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ : କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏମ୍ସ)ରେ ଆଜିଠାରୁ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।

 

ଏଥି ପାଇଁ ସୋମବାର ଠାରୁ ପରୀକ୍ଷାରେ ଯୋଗଦେବାକୁ ଇଚ୍ଛୁକ ସୁସ୍ଥ ଲୋକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବ ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏମ୍ସ) । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୋଭାକ୍ସିନ୍ ଟିକାର ମାନବ ଉପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ସମେତ ୧୨ଟି ଅନୁଷ୍ଠାନକୁ ଚୟନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ । ସେଥି ମଧ୍ୟରୁ ସର୍ବାଧିକ ୧୦୦ ଜଣ ଲୋକ ଏମ୍ସରୁ ହୋଇପାରନ୍ତି । ଏମ୍ସର ସେଣ୍ଟର ଫର କମ୍ୟୁନିଟି ମେଡିସିନର ପ୍ରଫେସର ଡଃ ସଞ୍ଜୟ ରାୟ କହିଛନ୍ତି ଯେ କୋଭ୍ୟାକ୍ସିନ୍ ମାନବ ପରୀକ୍ଷାକୁ ଏମ୍ସର ନୈତିକତା କମିଟି ଅନୁମୋଦନ କରିଛି । ଏହି ପରୀକ୍ଷଣରେ ସେମିତି ସୁସ୍ଥ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ ଯେଉଁମାନଙ୍କର ଅନ୍ୟ କୌଣସି ରୋଗ ନାହିଁ। ଅନ୍ୟ କୌଣସି ରୋଗ ନଥିବା ସହ କୋଭିଡ ସଂକ୍ରମିତ ହୋଇ ନଥିବା ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷଣ କରାଯିବ ।

ସୂଚନାଅନୁସାରେ କିଛି ଲୋକ ଏହି ପରୀକ୍ଷା ପାଇଁ ଆଗରୁ ପଞ୍ଜୀକୃତ ହୋଇସାରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବ୍ୟସ୍ଥାର ଆକଳନ କାର୍ଯ୍ୟ ସୋମବାର ଠାରୁ ଆରମ୍ଭ ହେବ । ତା’ ପରେ କେବଳ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ ଭାଗ ନେବାକୁ ଚାହୁଁଥିବା ଅନ୍ୟ ଲୋକେ Ctaiims.covid19@gmail.com  କୁ ଇମେଲ୍ ପଠାଇ ପାରିବେ । ଆହୁରି ମଧ୍ୟ, ଆପଣ ମୋବାଇଲ୍ ନମ୍ବର ୭୪୨୮୮୪୭୪୯୯ କୁ ଏସେମେସ୍ ପଠାଇ ପାରିବେ ବୋଲି କହିଛନ୍ତି ଡଃ ରାୟ ।

କୋଭାକ୍ସିନ୍ ଟିକାକୁ ଆଇସିଏମ୍‌ଆର୍ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି)ର ସହଯୋଗରେ ହାଇଦ୍ରାବାଦର ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରାଯାଇଛି । ଏହାର ମାନବ ପରୀକ୍ଷଣକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବି ଅନୁମୋଦନ କରିଛି ।

Comments are closed.